ଭିଜିଲାନ୍ସ ଜାଲରେ ଚର୍ଚ୍ଚିତ ଅବକାରୀ ଅଧିକାରୀ

ଭିଜିଲାନ୍ସ ଜାଲରେ ଚର୍ଚ୍ଚିତ ଅବକାରୀ ଅଧିକାରୀ । ୧୮ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପୁରୀ ଜିଲ୍ଲାର ଚର୍ଚ୍ଚିତ ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା । ଏକ କେସ୍ ଡାଏରୀ ଦାଖଲ କରିବାକୁ ସେ ୧୮ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ । ସଞ୍ଜୟ ପଣ୍ଡା ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା । ଲାଞ୍ଚ ଟଙ୍କା ଜବତ କରାଯିବା ସହ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।ଏହି ଆଧାରରେ ଭିଜିଲାନ୍ସ ସଞ୍ଜୟ ପଣ୍ଡାଙ୍କ ପୁରୀ ସରକାରୀ ବାସଭବନ, ପୈତୃକ ଘର ଓ ଅନ୍ୟସ୍ଥାନରେ ଚଢାଉ କରିଛି । ଭିଜିଲାନ୍ସ ସଞ୍ଜୟଙ୍କୁ ଗିରଫ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଗତବର୍ଷ ଜୁନ୍ ମାସରେ ଚର୍ଚ୍ଚାକୁ ଆସିଥିଲେ ସଞ୍ଜୟ ପଣ୍ଡା । ପୁରୀ ଜିଲ୍ଲାରେ ଥାନା ଅଧିକାରୀମାନେ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଥିବା ସେ ଅଭିଯୋଗ କରୁଥିଲେ । ଫଳରେ ତଦନ୍ତ ପ୍ରକ୍ରିୟାରେ ଅବକାରୀ ବିଭାଗ ପ୍ରଭାବିତ ହେଉଛି ବୋଲି ଅଭିଯୋଗ ଆଣିଥିଲେ ସଞ୍ଜୟ ପଣ୍ଡା । ଏନେଇ ସେ ଅବକାରୀ କମିଶନରଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଆଜି ସେହି ଅଫିସର ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।