ଭୁବନେଶ୍ବର: ଆଇପିଏସ୍ ଡିଏସ୍ କୁଟ୍ଟେ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତୀୟ ନିର୍ବାଚନ କମିସନ । ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ଅଭିଯୋଗରେ ସେ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ପେଶାଲ ସେକ୍ରେଟାରି ଭାବେ କାମ କରୁଥିଲେ। ଭାରତୀୟ ନିର୍ବାଚନ କମିସନ ଏନେଇ ସିଇଓଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଡିଏସ୍ କୁଟ୍ଟେଙ୍କୁ ଆସନ୍ତାକାଲି ଦିନ ୩ଟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ହୋଇଛି। ପ୍ରଥମେ ଏନେଇ ରାଜ୍ୟ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । କୁଟ୍ଟେ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ଓ ଜାତୀୟସ୍ତରରେ ବିଜେପି ନେତାମାନେ ଏନେଇ ନିର୍ବାଚନ କମିସନଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିସ ଏବଂ ରିପୋର୍ଟ ଆଧାରରେ ସଚିବ କୁଟ୍ଟେଙ୍କୁ ଆଜି ଏହି ଅଭିଯୋଗ ଅନୁସାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏପରିକି ଗତ ଦୁଇ ଦିନ ତଳେ ବିଜେପି ରାଜ୍ୟ ମୁଖପାତ୍ର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସିିଥିବା ବରିଷ୍ଠ ପୁଲିସ ଅଧିକାରୀ ଡିଏସ୍ କୁଟ୍ଟେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଭ୍ରାନ୍ତ ବାଟରେ ନେବା ପାଇଁ ଚକ୍ରାନ୍ତ କରିଛନ୍ତି । ସେମାନଙ୍କର କଲ୍ ରେକର୍ଡ଼ ଯାଂଚ କରାଯାଉ ।
ଗତ ଏପ୍ରିଲ ମାସ 8 ତାରିଖରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ବିରୁଦ୍ଧରେ ଫେରାଦ ହୋଇଥିଲା । ବିଜେଡି ସପକ୍ଷରେ ଭୋଟ୍ ହାତେଇବା ପାଇଁ ସେ କିଭଳି କାର୍ଯ୍ୟ କରୁଛନ୍ତି ସେ ନେଇ ଅଭିଯୋଗ କରିଥିଲା । ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲା । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ହୀନଚକ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଥିଲା । ଡିଏସ୍ କୁଟ୍ଟେ ନିର୍ବାଚନ ସମୟରେ ବିଜେଡି ପାଇଁ ଅସତ୍ ଉପାୟରେ ବ୍ୟାପକ ଟଙ୍କା ବଂଟନ କରିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଉଥିବା ସମୀର ମହାନ୍ତି କହିଥିଲେ । କୁଟ୍ଟେ ଉପଯୋଗ କରୁଥିବା ସମସ୍ତ ଫୋନ୍ ନମ୍ବର ଓ ସିଡିଆରକୁ ଯାଂଚ କରିବାକୁ ବିଜେପି ଦାବି କରିଥିଲା ।
ପୁଣି ଦୁଇଦିନ ପରେ ବିଜେପି ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଆଇପିଏସ୍ ଅଫିସର ଡିଏସ କୁଟ୍ଟେଙ୍କୁ ତୁରନ୍ତ ନିର୍ବାଚନ ଦାୟିତ୍ୱରୁ ବାଦ୍ ଦେବାକୁ ଅନୁରୋଧ କରିଥିଲେ । ଗଞ୍ଜାମର ସାଧାରଣ ଭୋଟରଙ୍କୁ କିଭଳି ଭୟଭୀତ କରାଯାଉଛି ସେ ସମ୍ପର୍କରେ ଅବଗତ କରାଇଥିଲେ । ଯାହା ଫଳରେ କୁଟ୍ଟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।