ଚକଡ଼ା ପୋକ ମୁକାବିଲା ପାଇଁ ଏକର ପିଛା ୪ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ରାଶିର ବ୍ୟବସ୍ଥା

ଭୁବନେଶ୍ବର: ଚକଡ଼ା ପୋକ ମୁକାବିଲା ପାଇଁ ଆକ୍ସନ ମୋଡରେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।  ପୋକ ଦାଉରୁ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ ପାଇଁ ନିୟମ ଅନୁସାରେ ବିହନ ମାଗଣାରେ ଯୋଗାଇ ଦେବେ ରାଜ୍ୟ ସରକାର । ଏଥିସହ ସାର ଓ କୀଟନାଶକ ପାଇଁ ଏକର ପିଛା ୪ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ରାଶିର ବ୍ୟବସ୍ଥା କରାଯାଇଛି । କୀଟନାଶକ ସିଞ୍ଚନ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଜିଲ୍ଲା କୃଷି ଅଧିକାରୀଙ୍କୁ ଦୈନିକ ରିପୋର୍ଟ ମାଗୁଛି କୃଷି ବିଭାଗ । କିଛି ଦିନ ତଳେ କେନ୍ଦୁଝର ସମେତ ରାଜ୍ୟର ୫ଟି ଜିଲ୍ଲାରେ ଚକଡ଼ା ପୋକର ପ୍ରକୋପ ନେଇ ରିପୋର୍ଟ ହୋଇଥିଲା । କିଆରିରୁ କିଆରି ମାଡ଼ି ଚାଲିଛି ଚକଡ଼ା ପୋକ । ଦୁଇ ସପ୍ତାହ ହେଲାଣି ଚାଷ ନଷ୍ଟ କରୁଛି । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଏବେ ଚକଡ଼ା ମୁକାବିଲାର ମାଷ୍ଟରପ୍ଲାନକୁ କାର୍ଯ୍ୟକାରୀ କରିଛି କୃଷି ବିଭାଗ । କେନ୍ଦୁଝର, ବାଲେଶ୍ବର ଓ ଗଞ୍ଜାମ ପରି ୪ରୁ ୫ ଜିଲ୍ଲାରୁ ଚକଡା ପୋକ ମାଡ଼ିବା ନେଇ ଖବର ଆସିଥିଲା । ଧାନକ୍ଷେତରୁ ପାଣି କାଟିବା ସହ ନିର୍ଦ୍ଦିଷ୍ଟ କେତେକ କୀଟନାଶକ ସିଞ୍ଚନ ପାଇଁ ପରାମର୍ଶ ଦିଆଯାଇଛି । ଫଳରେ ଅଳ୍ପରୁ ମଧ୍ୟମ ଧରଣର ପୋକ ଲାଗିଥିବା କ୍ଷେତଗୁଡିକରେ ପୋକ ଦମନ ହୋଇପାରିବ ।