ବଡ଼ ଠାକୁର ଖସିପଡ଼ିବା ଘଟଣା ଅକ୍ଷମଣୀୟ ତ୍ରୁଟି କହିଲା ବିଜେଡି

 

ଭୁବନେଶ୍ବର: ବଡ଼ଠାକୁର ବଳଭଦ୍ର ଆଡ଼ପ ପହଣ୍ଡି ବେଳେ ଖସିପଡ଼ିବାକୁ ନେଇ ବିଜେଡି କଡ଼ା ପ୍ରତିକ୍ରିୟା ରଖିଛି । ଏହା ଏକ ଅକ୍ଷମଣୀୟ ତ୍ରୁଟି । କୋଟି କୋଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ଏହା ଗଭୀର ଭାବେ ଆଘାତ ଦେବା ସହ ଏହି ଘଟଣା ମର୍ମାହତ କରିଛି । ଆଇନ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତକୁ ମର୍ମାହତ କରିଛି ବୋଲି ପ୍ରେସମିଟ କରି କହିଛନ୍ତି ବିଜେଡି ନେତ୍ରୀ ତଥା ଭୁବନେଶ୍ବର ମେୟର ସୁଲୋଚନା ଦାସ । ବେଶୀ ମର୍ମାହତ କରିଛି ରାଜ୍ୟ ସରକାରଙ୍କ ବେପରୁଆ ମନ୍ତବ୍ୟ। ଗତକାଲି ପହଣ୍ଡିବେଳେ ବଳଭଦ୍ର ପଡିଯିବା ନେଇ ଏପରି ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି ।

ବିଜେଡି କହିଛି ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ଗତକାଲି ଶ୍ରୀକ୍ଷେତ୍ରରେ ଯେଉଁ ଅଘଟଣ ଘଟିଲା, ତାହା କୋଟି କୋଟି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି  । ସେମାନେ କହିଲେ ଏହା ମହାପ୍ରଭୁଙ୍କ ଇଚ୍ଛା । ସରକାରଙ୍କ ଏହି ମନ୍ତବ୍ୟ ଆମକୁ ଦୁଃଖ ଦେଇଛି । ଅନୁରୋଧ କରୁଛୁ, ରଥଯାତ୍ରାରୁ ନୀଳାଦ୍ରି ବିଜେ ଯାଏଁ ସବୁ କାର୍ଯ୍ୟ ସୂଚାରୁ ରୂପେ କରାଯାଉ । ଯେପରି ସବୁ କାମ ସୁରୁଖୁରୁରେ ହୋଇପାରିବ ସେଥିପାଇଁ ସହଯୋଗ କରାଯାଉ ।