୨୪ ବର୍ଷ ଧରି ପଛୁଆବର୍ଗଙ୍କୁ ପ୍ରତାରଣା କରିଛି ବିଜେଡି
ବିଜେଡି ମୁହଁରେ ଓବିସି ପ୍ରସଙ୍ଗ ଶୋଭା ପାଉନାହିଁ ।ଓବିସି ଓ ଏସ୍ଇବିସିମାନଙ୍କୁ ଉଭୟ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ସାମ୍ବିଧାନିକ ଅଧିକାର ଦେବାକୁ ଦୃଢ ପ୍ରତିଶ୍ରୁତିବଦ୍ଧ ବିଜେପି ସରକାର । ବିଜେଡି ଆତ୍ମଚିନ୍ତନ କରିବା ବଦଳରେ ଏବେ ହୀନ ରାଜନୀତି କରୁଛି । ନବୀନ ବାବୁ ଓ ବିଜେଡି ଓବିସି ବିରୋଧୀ ଏବଂ ବିଜେଡିରେ ପଛୁଆବର୍ଗଙ୍କ ସେଲ୍ ନାହିଁ । ଦେଶରେ ପ୍ରଥମକରି ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ଦେଇଛନ୍ତି ନରେନ୍ଦ୍ର ମୋଦି ବୋଲି ବିଜେଡିକୁ ଟାର୍ଗେଟ କରି କହିଛନ୍ତି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।
୨୪ ବର୍ଷ ଶାସନରେ ବିଜୁ ଜନତା ଦଳ ସରକାର ୫୪ ଭାଗ ପଛୁଆବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରିଛନ୍ତି । ନିଜେ ନବୀନ ବାବୁ ଏବଂ ତାଙ୍କ ଦଳ ବିଜେଡି ସମ୍ପୂର୍ଣ୍ଣ ଭାବେ ପଛୁଆବର୍ଗ ବିରୋଧୀ । ଶିକ୍ଷା, ନିଯୁକ୍ତି, ଏବଂ ରାଜନୈତିକ ପ୍ରତିନିଧିତ୍ୱ କ୍ଷେତ୍ରରେ ଏହି ବର୍ଗଙ୍କୁ ବଂଚିତ କରିଛି ବିଜେଡି । ବିଜେଡି ଦଳରେ ପଛୁଆବର୍ଗ ପାଇଁ କୌଣସି ସେଲ୍ ନଥିବା, ପଛୁଆବର୍ଗ ପ୍ରତି ତାଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ନିଜ ଦଳ ଭିତରେ ତୀବ୍ର ଗୋଷ୍ଠୀ କନ୍ଦଳ, ବିଦ୍ରୋହ ଏବଂ ଜଣକ ପରେ ଜଣେ ଦଳ ଛାଡ଼ୁଥିବାବେଳେ ସେଥିରୁ ଦୃଷ୍ଟି ହଟାଇବାକୁ ଯାଇ ବିଜେଡିର ନେତାମାନେ ଅନେକ ବୟାନବାଜୀ ଓ ନାଟକ ଆରମ୍ଭ କରିଦେଇଛନ୍ତି । ବିଜେଡି ମୁହଁରେ ଓବିସି ପ୍ରସଙ୍ଗ ଶୋଭା ପାଉନାହିଁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ବିଜେଡି ଆତ୍ମଚିନ୍ତନ କରିବା ବଦଳରେ ଏବେ ହୀନ ରାଜନୀତି କରୁଛି । ଦୀର୍ଘ ୨୪ ବର୍ଷ ଶାସନରେ ରହିବା ସତ୍ୱେ ପଛୁଆବର୍ଗଙ୍କ ମୌଳିକ ଅଧିକାର ସମ୍ପର୍କରେ କର୍ଣ୍ଣପାତ କରିନଥିଲା ବିଜେଡି । ଅନ୍ୟ ସମସ୍ତ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ନାମ ଲେଖା ପାଇଁ ଓବିସିବର୍ଗର ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣ ମିଳୁଥିଲାବେଳେ ତତ୍କାଳୀନ ବିଜେଡି ସରକାର ସଂରକ୍ଷଣ ନଦେବା ଫଳରେ ଆମ ରାଜ୍ୟର ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଂଚିତ ହୋଇଛନ୍ତି ।