ଏସିଏଫ୍ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ନାଁରେ NBW
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, DFO ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ NBW ଜାରି ହୋଇଛି। ୩ ଜଣଙ୍କ ନାଁରେ ୱାରେଣ୍ଟ ଜାରି କରିଛନ୍ତି ପାରଳାଖେମୁଣ୍ଡି SDJM କୋର୍ଟ। ଆସନ୍ତା ଜୁଲାଇ ୭ ତାରିଖରେ ହାଜର କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିର ଏସିଏଫ୍ଙ୍କ ମୃତ୍ୟୁ ଘଟିଥିଲା। ଉଭୟ ସ୍ୱାମୀ ଓ ସ୍ତ୍ରୀ ସରକାରୀ କ୍ୱାର୍ଟର୍ସରେ ରହିଥିଲେ। ରାତି ପ୍ରାୟ ୯ଟା ହେବ ସୌମ୍ୟଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା। ପତ୍ନୀ ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କୁ କହିଥିଲେ। ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ବନ ବିଭାଗ ଗାଡ଼ିରେ ସୌମ୍ୟାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ତା’ ପର ଦିନ ତାଙ୍କୁ କଟକର ଏକ ପ୍ରାଇଭେଟ୍ ମେଡିକାଲ୍ରେ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା।