ଓଟିଇଟି ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ ପକ୍ଷରୁ କଣ୍ଟ୍ରୋଲ୍‌ ରୁମ୍‌ ବ୍ୟବସ୍ଥା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜୁଲାଇ ୧ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି-୨୦୨୨, ଦ୍ବିତୀୟ)ର ଅନେକ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡରେ ଗୁରୁତର ତ୍ରୁଟି ରହିଥିବା ଜଣାପଡ଼ିଛି। ବହୁ ପରୀକ୍ଷାର୍ଥୀ ପାଇଥିବା ଆଡ୍‌ମିଟ୍‌ କାର୍ଡରେ ଦୁଇଟି ପେ‌ପର୍‌ ପାଇଁ ଦୁଇଟି ପରୀକ୍ଷା କେନ୍ଦ୍ର ରହିଛି। ଯାହା ଫଳରେ ଗୋଟିଏ ଦିନରେ ଜଣେ ପରୀକ୍ଷାର୍ଥୀ ଦୁଇଟି ଜିଲ୍ଲାରେ ଥିବା ଦୁଇଟି ପରୀକ୍ଷା କେନ୍ଦ୍ରରେ କିପରି ପରୀକ୍ଷା ଦେବେ, ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ପରୀକ୍ଷାର୍ଥୀମାନଙ୍କୁ ସହାୟତା କରିବା ପାଇଁ ବୋର୍ଡ ପକ୍ଷରୁ କଣ୍ଟ୍ରୋଲ୍‌ ରୁମ୍‌ ବ୍ୟବସ୍ଥା କରାଯାଇଛି। ଯେଉଁ ପରୀକ୍ଷାର୍ଥୀମାନଙ୍କ ଦୁଇଟି ପେପର୍‌ ପାଇଁ ମିଳିଥିବା ଦୁଇ ଆଡ୍‌ମିଟ୍ କାର୍ଡରେ ଦୁଇଟି ଭିନ୍ନ ପରୀକ୍ଷା କେନ୍ଦ୍ର ରହିଛି, ସେମାନେ ବୋର୍ଡ କଣ୍ଟ୍ରୋଲ୍‌ ରୁମ୍‌ ନଂ ୦୬୭୧-୨୪୧୨୦୫୯/୨୪୧୨୦୬୦ ସହ ଯୋଗାଯୋଗ ପାଇଁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏପର୍ଯ୍ୟନ୍ତ ୨୬୦ଜଣ ପରୀକ୍ଷାର୍ଥୀ ଯୋଗାଯୋଗ କରିଥିବା ବେଳେ ସେମାନଙ୍କ ଅସୁବିଧା ଦୂର କରିବା ପାଇଁ ପଦକ୍ଷେପ ନିଆଯାଇଛି।‌ ଯେଉଁମାନଙ୍କ ଅସୁବିଧା ଦୂର କରାଯାଇପାରିବ ସେମାନଙ୍କ ‌କ୍ଷେତ୍ରରେ ରିଭାଇଜଡ୍‌ ଆଡମିଟ୍‌ କାର୍ଡ ବୋର୍ଡ ୱେବ୍‌ସାଇଟ୍‌ ଅପ୍‌ଲୋଡ୍‌ କରାଯିବ ବୋଲି ବୋର୍ଡ ଉପ-ସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।