କାଳବୈଶାଖୀ ବର୍ଷାକୁ ଡରିଲେ ବି କାଳ ଛାଡିଲାନି, ଯାଜପୁର ରୋଡ୍ ରେଳ ଷ୍ଟେସନରେ ଇଂଜିନ ନଥିବା ବଗିରେ ଗଲା ପ୍ରାଣ

ଯାଜପୁର: ଯାଜପୁର ରୋଡ୍ ରେଳ ଷ୍ଟେସନରେ  ଟ୍ରେନରେ କଟି ୬ ଜଣଙ୍କ ମୃତ୍ୟୁ ହୋଇଛି । କାଳବୈଶାଖୀ ବର୍ଷାରୁ ରକ୍ଷା ପାଇବାକୁ ମାଲବାହୀ ଟ୍ରେନର ବଗିତଳକୁ ୮ଜଣ ଆଶ୍ରୟ ନେବାକୁ ଚାଲିଯାଇଥିଲେ । ଏହି ସମୟରେ ଟ୍ରେନଟି ଗଡ଼ିବାରୁ ଚକା ତଳେ ଚାପି ହୋଇ ୬ ଜଣ ରେଳ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଅନ୍ୟ ଜଣେ ଗୁରୁତରଙ୍କ ଚିକିତ୍ସା ଯାଜପୁର ମେଡିକାଲରେ ଚାଲିଛି । ରେଳ ଟ୍ରାକ୍ ମରାମତି କରୁଥିବା ବେଳେ ଶ୍ରମିକମାନେ ବର୍ଷା ପବନ ଆସିବାରୁ ବଗି ତଳକୁ ଚାଲିଆସିଥିଲେ । ଏହି ବଗିଗୁଡ଼ିକ ଦୀର୍ଘଦିନ ଧରି ଯାଜପୁର ରୋଡ୍ ଷ୍ଟେସନରେ ଅଟକି ରହିଥିଲା । ଏଥିରେ ଇଞ୍ଜିନ ସଂଲଗ୍ନ ନଥିଲା । ଶ୍ରମିକମାନେ ଜାଣିନଥିଲେ ଯେ ଏହା ପବନରେ ଆଗକୁ ଗଡ଼ିଯିବ ବୋଲି । କାଳବୈଶାଖୀ ପବନରେ ବଗିକୁ ଆଗକୁ ଗଡ଼ିବାକୁ ଲାଗିଥିଲା । ଶ୍ରମିକମାନେ ତଳୁ ବାହାରିବା ପାଇଁ ଚେଷ୍ଟା କରିବାବେଳେ ବଗିତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି ।  ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ମୃତ୍ୟୁ ମେଡିକାଲରେ ହୋଇଛି ।