ମାହାଙ୍ଗାରେ ନାବାଳିକା ମୃତ୍ୟୁକୁ ନେଇ ତନାଘନା

କଟକ: ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଘଟଣାକୁ ଚାପିବାର ଉଦ୍ୟମ କରିବା ଓ ଏଥିପାଇଁ ଟଙ୍କା ଆଦାୟ କରିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ମାହାଙ୍ଗା ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟଣାରେ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମହିଳା କମିଶନ । ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିଶନ । ଯେଉଁମାନେ ଅଭିଯୁକ୍ତ ଅଛନ୍ତି ସମ୍ପୃକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ଅଧ୍ୟକ୍ଷା ।  ବିନା ପୋଷ୍ଟମର୍ଟମ୍‌ରେ ନାବାଳିକାଙ୍କ ମୃତଦେହ ସଂସ୍କାର କରାଯିବା ସହିତ ଅଧାଜଳା ଅସ୍ଥି ଓ ପାଉଁଶରୁ ନଦୀରେ ଭସାଯାଇଥିଲା । ଯାହାକୁ ନେଇ ସନ୍ଦେହ ଉପୁଜୁଛି ।  ଏଭଳି ଜଘନ୍ୟ ଅପରାଧ ପଛରେ ରାଜନୈତିକ ଲିଂକ୍‌ ଥିବା ନେଇ ବିରୋଧୀ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।  । ପୁଲିସ୍‌ ଡିଜିଙ୍କୁ ବିଜେପିର ଅଭିଯୋଗ ପରେ କଟକ ଗ୍ରାମାଞ୍ଚଳ ଏସ୍‌ପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।  ମୃତ ନାବାଳିକାଙ୍କ ଏକ ହାତ ଲେଖା ଚିଠି ମଧ୍ୟ ଭାଇରାଲ୍‌ ହୋଇଛି । ଚିଠିଟି ପୁଲିସ୍‌ର ତଦନ୍ତ ପରିସରଭୁକ୍ତ ରହିଛି ।  ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏମିତିକି ମୃତଦେହ ସଂସ୍କାର ହୋଇଥିବା ଶ୍ମଶାନକୁ ଯାଇ ସେଠାରେ ଛାନ୍‌ଭିନ୍‌ କରିଥିବା ସୂଚନା ମିଳିଛି ।  ଗତ ଜୁନ୍‌ ୧୮ତାରିଖରେ ଶୁଖୁଆପଡା ଗ୍ରାମର ଜଣେ ଦଶମ ଶ୍ରେଣୀରେ ପଢୁଥିବା ନାବାଳିକାଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ପରିବାର ଲୋକେ କିନ୍ତୁ ଏ ଅସ୍ୱାଭାବିକ ମୃତ୍ୟୁ ସମ୍ପର୍କରେ ପୁଲିସକୁ ଜଣାଇନଥିଲେ । ପୁଲିସ୍‌ରେ ସୂଚନା ନଦେଇ ମୃତଦେହ ସଂସ୍କାର କରି ଦିଆଯାଇଥିଲା ।  ମାହାଙ୍ଗାର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ତଥା ବିଧାୟକ ପ୍ରତାପ ଜେନାଙ୍କ ପ୍ରମୁଖ ସହଯୋଗୀ ଶରତ ନାୟକ ଏଥିରେ ସଂପୃକ୍ତ ଥିବା ବିରୋଧୀ ଅଭିଯୋଗ କରିଛନ୍ତି ।