ହୀରାକୁଦ ବନ୍ଧ ବିସ୍ଥାପିତମାନଙ୍କୁ ସରକାର ଦେବେ ଜମିପଟ୍ଟା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭିକେ ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କଠାରୁ ପାଇଥିଲେ। ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା, ରୟତ ସମସ୍ୟା – ଏହିପରି ଅନେକ ସମସ୍ୟା ସଂପର୍କରେ 5T ସଚିବଙ୍କୁ ଜଣାଇଥିଲେ । ଏ ବିଷୟରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ 5T ସଚିବ ଭିକେ ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଗଞ୍ଜାମ ଓ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଯୋଗାଇ ଦେବାକୁ ନିଷ୍ପତ୍ତି କରାଯାଇଛି ।