ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି

କନ୍‌ଷ୍ଟେବଲ୍‌ ଶୁଭମିତ୍ରାଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକଙ୍କ ସମେତ ୩ଜଣ ଗୁରୁବାର ଜେଲ ଯାଇଛନ୍ତି। ଦୀପକଙ୍କ ମାଉସୀ ପୁଅ ଭାଇ ବିନୋଦ ବିହାରୀ ଭୂୟାଁ ଓରଫ ପପୁ (୩୯) ଓ ତାଙ୍କ ସାଙ୍ଗ ଶମ୍ଭୁନାଥ ମହନ୍ତ ଓରଫ ଜଟ (୨୩)ଙ୍କୁ ଆପରାଧିକ ଷଡ଼ଯନ୍ତ୍ର ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରାଯାଇଛି। ଉଭୟଙ୍କ ଘର ଘଟଗାଁ ଥାନା କୁସୁନପୁର ରାଜାବନ୍ଧ ସାହିରେ। କ୍ୟାପିଟାଲ ଥାନା ପକ୍ଷରୁ ଅଭିଯୁକ୍ତମାନଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ ପରେ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜଟଙ୍କ ଘର ପଛପାର୍ଶ୍ୱ ଖାଲି ସ୍ଥାନରେ ଶୁଭମିତ୍ରାଙ୍କ ମୃତଦେହ ପୋତାଯାଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ନିଜ ପୋଲିସ ସହକର୍ମୀଙ୍କୁ ହତ୍ୟା ଘଟଣାରେ କମିଶନରେଟ୍‌ ପୋଲିସ ପକ୍ଷରୁ ଦୀପକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି।

ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଘଟଣାକୁ ନେଇ ବଡ଼ ଗୁମର ସାମ୍ନାକୁ ଆସିଛି। ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ କନ୍ଦରସିଂହା ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ଭାବେ ଅପର୍ଣ୍ଣା କାମ କରୁଥିଲେ। ସାଢ଼େ ୩ବର୍ଷ ତଳେ ଅପର୍ଣ୍ଣାଙ୍କୁ ଦୀପକ ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିଲେ ବୋଲି ସାନ ଭଉଣୀ ରୋଜାଲିନ ରାଉତ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ମାଟ୍ରିମୋନିଆଲ୍‌ ସାଇଟ୍‌ରେ ଅପର୍ଣ୍ଣାଙ୍କ ବିବାହ ପାଇଁ ଦୀପକଙ୍କ ସହ ଯୋଗାଯୋଗ ହୋଇଥିଲା।

୨୦୧୮ ଏପ୍ରିଲ ୨୫ରେ ଅପର୍ଣ୍ଣାଙ୍କୁ ଦୀପକ ବିବାହ କରିଥିଲେ। ୨ରୁ ୩ ମାସ ପରଠାରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ଏହି ଘଟଣାକୁ ଅପର୍ଣ୍ଣା ତତ୍କାଳୀନ ପୋଲିସ କମିଶନରଙ୍କୁ ମଧ୍ୟ ଜଣାଇଥିଲେ। ଦୀପକ ସବୁବେଳେ ଅପର୍ଣ୍ଣାଙ୍କୁ ମାନସିକ ନିର୍ଯାତନା ଦେବା ସହ ତାଙ୍କ ନାଁରେ ଋଣ ଆଣିଥିଲେ। ସେହି ପରିସ୍ଥିତିରେ ଅପର୍ଣ୍ଣାଙ୍କ ପ୍ରଥମ ଗର୍ଭ ନଷ୍ଟ ହୋଇଥିଲା। ମୃତ୍ୟୁ ସମୟରେ ବି ସେ ୬ ମାସର ଗର୍ଭବତୀ ଥିଲେ। ୨୦୨୨ ମାର୍ଚ୍ଚ ୧୭ରେ ରାତି ପ୍ରାୟ ୮ଟା ବେଳେ ଖୁଣ୍ଟୁଣୀ ନିକଟରେ ଅପର୍ଣ୍ଣାଙ୍କ ଦୁର୍ଘଟଣା ଘଟିଛି ବୋଲି ଦୀପକ କଲ୍‌ କରି ଜଣାଇଥିଲେ।

ରୋଜାଲିନ୍‌ ଏହା ପରେ ତାଙ୍କ ସ୍ବାମୀଙ୍କ ସହ ଢେଙ୍କାନାଳରୁ କଟକ ଅଭିମୁଖେ ବାହାରିଥିଲେ। ଦୀପକ ପ୍ରଥମେ ଅପର୍ଣ୍ଣାଙ୍କୁ ଏସ୍‌ସିବି ନେଉଥିବା କହି ପରେ ଅଶ୍ୱିନୀ ହସ୍ପିଟାଲରେ ଅପର୍ଣ୍ଣା ଥିବା କହିଥିଲେ। ଉକ୍ତ ହସ୍ପିଟାଲରେ ପହଞ୍ଚିବା ପରେ ସେମାନେ ଅପର୍ଣ୍ଣାଙ୍କ ମୃତଦେହ ଦେଖିଥିଲେ। ବାପା ଜଣେ ସରଳ ଚାଷୀ ଲୋକ ହୋଇଥିବାରୁ ଦୀପକ ଅଭିନୟ କରି ଘଟଣାକୁ ଦୁର୍ଘଟଣାର ରୂପ ଦେଇଥିଲେ ବୋଲି ଅଭିଯୋଗ ଫର୍ଦ୍ଦରେ ରୋଜାଲିନ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଦୀପକ ଏତଲାରେ ଦର୍ଶାଇଥିଲେ ଯେ, ଅପର୍ଣ୍ଣାଙ୍କ ସହ କାର୍‌ରେ ଭୁବନେଶ୍ୱରରୁ ଢେଙ୍କାନାଳ ଯିବାବେଳେ ଖୁଣ୍ଟୁଣୀ ରାସ୍ତାରେ ଚକା ଲିକ୍‌ ହୋଇଥିଲା। ଅପର୍ଣ୍ଣା ଠିଆ ହୋଇଥିବାବେଳେ ଏକ ଟ୍ରକ ଚକରୁ ପଥର ଛିଟିକି ଅପର୍ଣ୍ଣାଙ୍କ ମୁଣ୍ଡରେ ବାଜିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ହେଲେ ଏହି ଘଟଣାରେ ଦୀପକ ସେତେବେଳେ ପରିବାର ଠାରୁ ପୋଲିସ ସମସ୍ତଙ୍କୁ ଭୁଆଁ ବୁଲାଇଥିଲେ ବୋଲି ଅଭିଯୋଗ ହୋଇଛି।

Leave a comment