ଭୁବନେଶ୍ୱରରେ ଓଡ଼ିଶାର ସର୍ବପ୍ରଥମ ସିଏନଜି ଗ୍ୟାସ ଚାଳିତ ‘ଶବଦାହ ଗୃହ’ ଲୋକାର୍ପିତ
ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାର ଠାରେ ଗେଲ୍ ଇଣ୍ଡିଆ ଲିମିଟେଡର ସିଏସଆର୍ ଅଧୀନରେ ରାଜ୍ୟର ସର୍ବପ୍ରଥମ ପ୍ରାକୃତିକ ଗ୍ୟାସ ଆଧାରିତ ‘ଶବଦାହ ଗୃହ’ର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗେଲ୍ ୧୬ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ଭୁବନେଶ୍ୱର ଓ କଟକରେ ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହ ନିର୍ମାଣ କରୁଥିବା ବେଳେ ଆଜି ଭୁବନେଶ୍ଵରର ଧର୍ମବିହାରରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଶ୍ମଶାନଘାଟ ଉଦଘାଟିତ ହୋଇଯାଇଛି । ବିଏମସି ଏଥିରେ ସହଯୋଗୀ ହୋଇଛି । ଏହାବ୍ୟତିତ ଆଉ ଦୁଇଟି ଶ୍ମଶାନାଗାର ଆଇଗଣିଆ ଓ କଟକର ଖାନନଗର ଠାରେ ତିଆରି କରାଯାଉଛି । ଖୁବ ଶୀଘ୍ର ଏହାର ଲୋକାର୍ପଣ ହେବ । ଏହା ଦ୍ୱାରା ଦ୍ଵୈତ-ନଗରୀରେ ଶବଦାହ ପାଇଁ ଯେଉଁ ଅସୁବିଧା ପରିଲକ୍ଷିତ ହେଉଛି, ତାହା ଦୂର ହେବ । ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଇଜ୍ ଅଫ୍ ଲିଭିଂ’ କଳ୍ପନାରେ ଏହି ନୂଆ ଅତ୍ୟାଧୁନିକ ଶବଦାହ ନିର୍ମାଣ କରିଥିବାରୁ ଗେଲ୍ ଇଣ୍ଡିଆକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।