ପଞ୍ଚାୟତିରାଜ ମନ୍ତ୍ରଣାଳୟ ‘ସଭାସାର’ ନାମକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳିତ ବୈଠକ ସାରାଂଶ ଉପକରଣ ଶୁଭାରମ୍ଭ କରିବାକୁ ଯାଉଛି। ଗ୍ରାମ ସଭା କିମ୍ବା ଅନ୍ୟ ପଞ୍ଚାୟତ ବୈଠକର ଅଡିଓ ଏବଂ ଭିଡିଓ ରେକର୍ଡିଂରୁ ସ୍ୱୟଂଚାଳିତ ଭାବେ ବୈଠକ ବିବରଣୀ ପ୍ରସ୍ତୁତ କରିବା ଲାଗି ଏହାକୁ ଡିଜାଇନ କରାଯାଇଛି।
ଆସନ୍ତାକାଲି, ଅର୍ଥାତ୍ ୧୪ ଅଗଷ୍ଟ ଗୁରୁବାର ଦିନ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ, ମାନ୍ୟବର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି.ସିଂହ ବାଘେଲ, ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ଏବଂ ଗଣମାଧ୍ୟମର ଉପସ୍ଥିତିରେ ଏହି ଉପକରଣର ଶୁଭାରମ୍ଭ କରାଯିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶକୁ ୧୫ ଅଗଷ୍ଟ ୨୦୨୫ରେ ହେବାକୁ ଥିବା ସ୍ୱତନ୍ତ୍ର ଗ୍ରାମସଭା ପାଇଁ ବୈଠକର ବିବରଣୀ ପ୍ରସ୍ତୁତ କରିବା ନିମନ୍ତେ ସଭାସାର ଟୁଲ୍ ବା ଉପକରଣ ବ୍ୟବହାର କରିବାକୁ ଅନୁରୋଧ କରିଛି। ପ୍ରଥମ ପଦକ୍ଷେପ ସ୍ୱରୂପ ତ୍ରିପୁରାର ସମସ୍ତ ୧୧୯୪ ଗ୍ରାମ ପଞ୍ଚାୟତ (ପାରମ୍ପରିକ ସ୍ଥାନୀୟ ସଂସ୍ଥା ସମେତ) ଏହି ସ୍ୱତନ୍ତ୍ର ଗ୍ରାମସଭାର ବିବରଣୀ ପ୍ରସ୍ତୁତ କରିବା ଲାଗି ଏହି ଉପକରଣ ବ୍ୟବହାର କରିବେ। ଏହା ପଞ୍ଚାୟତଗୁଡ଼ିକର କାମକୁ ସହଜ କରିବା ସହିତ ପଞ୍ଚାୟତିରାଜ ମନ୍ତ୍ରଣାଳୟକୁ ଏହି ଉପକରଣକୁ ଅଧିକ ଉନ୍ନତ କରିବାରେ ମଧ୍ୟ ସାହାଯ୍ୟ କରିବ।