ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନାଁରେ ପାଲଟା ଏତଲା ଦେଲେ ଯୁବ ବିଜେଡି ନେତା
ଗତ ୨୮ତାରିଖ ଦିନ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଜିଲ୍ଲାପାଳ ଓ ଅନ୍ୟମାନଙ୍କ ସମ୍ମୁଖରେ ଡିଡବ୍ଲୁଓଙ୍କୁ ଗୁଳି କରିଦେବି ବୋଲି କହିବା ସହ ତାଙ୍କ ଅସମ୍ମାନ କରିବା ଅଭିଯୋଗ କରି ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ ଡିଡବ୍ଲୁଓ। ଆଜି ଯୁବ ବିଜେଡି ଦଳର ନେତା ନେତ୍ରନନ୍ଦ କଲାର ପାଲଟା ଏତଲା ଦେଇଛନ୍ତି। ଶ୍ରୀ କଲାରଙ୍କୁ ଆରଟିଆଇ ମାଗିଥିବାରୁ ଡିଡବ୍ଲୁଓ ପାଲକା ରବୀନ୍ଦ୍ର ଜୀବନରେ ମାରିବାକୁ ଧମକ ଦେଇଥିବା ଅଭିଯୋଗ କରି ଏହି ଏତଲା ଦେଇଛନ୍ତି। ଶ୍ରୀ କଲାର ଏତଲା ଦେବା ବେଳେ ନବରଙ୍ଗପୁର ସହରର ବିଜୁ ଜନତା ଦଳର ସମର୍ଥକ ଓ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଗତ ୨୦ ନଭେମ୍ବରରେ ପ୍ରେସର କୁକୁର ଫାଟି କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କାକଡ଼ି ସେମଳା ସ୍କୁଲ ଛାତ୍ର ଧନେଶ୍ଵର ଭତ୍ରା ଆହତ ହୋଇଥିଲେ। ୨୮ ତାରିଖ ରାତିରେ ସ୍କୁଲ ପାଚେରୀ ଡେଇଁ ଆହତ ଛାତ୍ରକୁ ହଷ୍ଟେଲ ପରିସରରୁ ଆଣି ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ ପ୍ରଦୀପ ମାଝୀ। ଏହି ସମୟରେ ସେ ଜିଲ୍ଲାମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକାକୁ ଫାୟରିଂ କରିଦେବି ଧମକ ଦେଇଥିଲେ। ଘଟଣାକୁ ନେଇ ତିନି ଦିନ ପରେ ନବରଙ୍ଗପୁର ଥାନାରେ ପ୍ରଦୀପ ମାଝୀଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ଏନେଇ ନବରଙ୍ଗପୁର ଥାନାରେ ମାମଲା ଦାୟର କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ।
ସରକାରୀ କାର୍ଯ୍ୟରେ ଥିବା ବେଳେ ଜିଲ୍ଲାପାଳ ତଥା ଅନ୍ୟ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ମୋତେ ଫାୟରିଂ କରିଦେବି ବୋଲି ଧମକ ଦେଇଥିଲେ। ଏହା ତାଙ୍କ ସାମାଜିକ ପ୍ରତିଷ୍ଠା ପ୍ରତି ଆଞ୍ଚ ଆସିଥିବା ତଥା ମାନସିକ ସ୍ତରରେ ନିର୍ଯାତିତ ହେଉଥିବା ନେଇ ନିଜ ଏତଲାରେ ଦର୍ଶାଇଛନ୍ତି । ଏଥିସହ ବିଭିନ୍ନ ସମୟରେ ପ୍ରଦୀପ ମାଝୀ ତାଙ୍କ ବିରୋଧରେ ମିଥ୍ୟା ଦୁର୍ନୀତିର ଅଭିଯୋଗ ଆଣି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ହଇରାଣ କରୁଥିବା, ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ହତ୍ୟା ଧମକ ଦେବା ନେଇ ଏତଲାରେ ଦର୍ଶାଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।
ସେପଟେ ଶ୍ରୀ କଲାର ଅଭିଯୋଗ ଆଣିଛନ୍ତି ଯେ, ମିଥ୍ୟା ବିଲ୍ ଦାଖଲ କରି ସରକାରୀ ଅର୍ଥ ଆତ୍ମସାତ୍ଓ ଆଦିବାସୀଙ୍କ ବିକାଶ ପାଇଁ ଆସିଥିବା ଅର୍ଥକୁ ବାଟମରଣା କରି ଲୁଟ୍ କରୁଥିବା ତଥ୍ୟ ମାଗିବା ଯୋଗୁଁ ମୋତେ ଜୀବନରେ ମାରିଦେବା ଧମକ ଦେଇଥିଲେ। ଗତ ଜୁନ ୨୪ ତାରିଖରେ ମୋ ଦ୍ବାରା ମଗାଯାଇଥିବା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ସବୁ ହସ୍ତଗତ ହୋଇଛି। ବିନା ଟେଣ୍ଡର ପ୍ରକ୍ରିୟାରେ ଏକ ସଂସ୍ଥା ଦ୍ବାରା ଦୁଇଗୁଣ ମୂଲ୍ୟରେ କିଣି କୋଟି କୋଟି ଟଙ୍କା ଆତ୍ମସାତ୍ କରାଯାଇଛି। ଆଦିବାସୀ ପିଲାଙ୍କ ପାଇଁ ଖାଇବାକୁ ଦେବା ଷ୍ଟିଲ୍ ଥାଳି ଯାହାକି ବଜାରରେ ୧୫୦ ଟଙ୍କାରେ ଉପଲବ୍ଧ ତାକୁ ୪୧୦ ଟଙ୍କା ଦର୍ଶାଯାଇଛି। ସେହିପରି ପିଲାମାନଙ୍କ ଶୋଇବା ପାଇଁ ଉଦ୍ଦିଷ୍ଟ ଗଦି ବଜାରରେ ୨୪୯୦ ଟଙ୍କାରେ ମିଳୁଥିଲେ ମଧ୍ୟ ତାକୁ ୨୯୯୦ ଟଙ୍କାରେ କିଣାଯାଇଛି ବୋଲି କୁହାଯାଇଛି। ବାଇମେଟ୍ରିକର ବଜାର ମୂଲ୍ୟ ୮୩୦୦ ଟଙ୍କା ଥିଲା ବେଳେ ଏହାକୁ ୧୫,୮୦୦ ଟଙ୍କାରେ କିଣାଯାଇଛି