ଜ୍ୟୋତି ମାଲହୋତ୍ରା ଗିରଫ ପରେ ପୁରୀର ପ୍ରିୟଙ୍କାଙ୍କ ସହ ଲିଙ୍କ ନେଇ ଖୋଳତାଡ଼

ପାକିସ୍ତାନର ସ୍ପାଏ ଭାବେ କାର୍ଯ୍ୟ କରୁଥିଲେ ଜ୍ୟୋତି ମାଲହୋତ୍ରା ।  ହରିୟାଣାର  ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ପରେ ତାଙ୍କୁ ନେଇ ଚର୍ଚା ଜୋର ଧରିଛି । ଏହାରି ମଧ୍ୟରେ ପୁରୀର ପ୍ରିୟଙ୍କାଙ୍କ ସହ ଲିଙ୍କ ନେଇ ପୋଲିସ ତନାଘନା ଆରମ୍ଭ କରିଛି  ।

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ପରେ ତାଙ୍କର ପୁରୀ ସହ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଜ୍ୟୋତି ଗତ ସେପ୍ଟେମ୍ବରରେ ପୁରୀ ବୁଲିବାକୁ ଆସିଥିଲେ। ପୁରୀ ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ। ଏପରିକି ପୁରୀରେ ପ୍ରିୟଙ୍କା ସେନାପତିଙ୍କ ସହ ବନ୍ଧୁତା କରିଥିଲେ । ଏହା ପରେ ଦୁଇ ଜଣ କେରଳ ଏବଂ ପହଲଗାମ ବୁଲିବାକୁ ଯାଇଛନ୍ତି ।

ବାନ୍ଧବୀ ପ୍ରିୟଙ୍କା ଜ୍ୟୋତିଙ୍କ ସାଙ୍ଗରେ ପାକିସ୍ତାନ ବୁଲିଛନ୍ତି। ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କକୁ ନେଇ ମଧ୍ୟ ଆଶଙ୍କା ବଢ଼ିଛି । ପ୍ରିୟଙ୍କା ମଧ୍ୟ ପୂର୍ବରୁ ପାକିସ୍ତାନ ଯାଇ ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ସମ୍ପର୍କରେ ପୁରୀ ପୋଲିସ ତଦନ୍ତ ଆରମ୍ଭ କରିଛି।

ପ୍ରିୟଙ୍କା ପୁରୀ ଶ୍ରୀମନ୍ଦିର ନିକଟ କାଳିକାଦେବୀ ସାହିରେ ରହୁଛନ୍ତି । ତାଙ୍କ ବାପା କହିଛନ୍ତି ମୋ ଝିଅ କେବଳ ଅନଲାଇନରେ ସାଙ୍ଗ ହୋଇଛି ଏବଂ ଆମେ ଏସମସ୍ତ ଘଟଣାରେ ପୋଲିସକୁ ତଦନ୍ତରେ ସହଯୋଗ କରିବୁ ବୋଲି କହିଛନ୍ତି। ତେବେ ତଦନ୍ତ ପରେ ଜଣାପଡ଼ିବ ପ୍ରିୟଙ୍କାଙ୍କର ଜ୍ୟୋତିଙ୍କ ସହ କିପରି ସଂପର୍କ ରହିଛି ।

Leave a comment