କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ନିଲମ୍ବିତ
ଭୁବନେଶ୍ବର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରାଯାଇଛି । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଥିବା ଏଆଇସିସି ପକ୍ଷରୁ କୁହାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟଙ୍କୁ ସସ୍ପେଣ୍ଡ ହୋଇଥିବା କୁହାଯାଉଛି । ଏହାକୁ ନେଇ ପିସିସି ସଭାପତି କହିଛନ୍ତି ଦଳ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ମାନିବାକୁ ପଡିବ । ଏଆଇସିସି ଯେଉଁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ତାହାର ଉତ୍ତର ଦେଇଥିଲେ ଦୁଇ ନେତା । ତେବେ ସେଥିରେ ସନ୍ତୁଷ୍ଟ ନଥିବା ଏଆଇସିସି ପ୍ରକାଶ କରିଛି । ଏନେଇ ମୋକିମ କହିଛନ୍ତି ଯେ ଆମେ ସେମିତି କିଛି କରିନାହୁଁ ଯାହାପାଇଁ ଆମକୁ ନିଲମ୍ବିତ କରାଯିବ । ଆମେ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବସନ୍ତ ବିଶ୍ବାଳଙ୍କ ପାଇଁ ଏକ କାର୍ଯ୍ୟକ୍ରମ କରିଥିଲୁ । ସେ ସମୟ କିପରି ଥିଲା ଆମେ ଯୁବକମାନଙ୍କୁ ତାହା କହିବାକୁ ଚାହୁଁଥିଲୁ । ଆମେ ଏକ ବାର୍ତ୍ତା ନୂଆ ପିଢ଼ିଙ୍କୁ ଦେବାପାଇଁ ଚାହିଁଥିଲୁ । କଂଗ୍ରେସ ବ୍ୟକ୍ତିଗତ ଦଳ ନୁହେଁ , ଦଳ ଆଗକୁ ବଢ଼ିବ । ଆମେ କଂଗ୍ରେସ ସହ ଅଛୁ, ରହିବୁ କହିଛନ୍ତି ମୋକିମ ।