ଓଡ଼ିଆ ଅସ୍ମିତା ଓ ଅକୁହା କାହାଣୀର ନୂଆ ପରିଚୟ: ମେଟ୍ରୋ ଟିଭିର ନୂଆ ପଡ଼କାଷ୍ଟ ‘ଓ ଓଡ଼ିଶା’

ଭୁବନେଶ୍ୱର: ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଏବଂ ଏହି ମାଟିର ଅକୁହା କାହାଣୀକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ପ୍ରମୁଖ ଗଣମାଧ୍ୟମ ସଂସ୍ଥା ମେଟ୍ରୋ ଟିଭି। ଲୋକାର୍ପିତ ହୋଇଛି ନୂଆ ପଡ଼କାଷ୍ଟ କାର୍ଯ୍ୟକ୍ରମ ‘ଓ ଓଡ଼ିଶା’। ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ମନର ଭାବନା ଏବଂ ଅସ୍ମିତାର ପ୍ରତିଫଳନ ବୋଲି କୁହାଯାଇପାରେ।
‘ଓ ଓଡ଼ିଶା’ ପଡ଼କାଷ୍ଟ ମାଧ୍ୟମରେ ଓଡ଼ିଶାର ଏକ ନୂଆ ରୂପ ଦେଖିବାକୁ ମିଳିବ। ପରମ୍ପରାରୁ ଆରମ୍ଭ କରି ଆଧୁନିକ ପରିବର୍ତ୍ତନ ପର୍ଯ୍ୟନ୍ତ— ସବୁ କିଛି ଏଥିରେ ସ୍ଥାନ ପାଇଛି। ଯେଉଁ କାହାଣୀଗୁଡ଼ିକ ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରି ନଥିଲା କିମ୍ବା ଇତିହାସର ପୃଷ୍ଠାରେ ରହିଯାଇଥିଲା, ସେହି ଅଶୁଣା କଥାକୁ ଏଠାରେ ଜୀବନ୍ତ ରୂପ ଦିଆଯିବ।
ଏହି ପଡ଼କାଷ୍ଟରେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ସମସ୍ତ ଦିଗକୁ ଛୁଇଁବାକୁ ଚେଷ୍ଟା କରାଯାଇଛି: ଯେପରିକି ଓଡ଼ିଶାର ପାରମ୍ପରିକ ସ୍ୱାଦ ଏବଂ ବାର ମାସରେ ତେର ପର୍ବର ବିଶେଷତା ସହ ଓଡ଼ିଶାର ସମୃଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଓ ଲୋକକଳା, ଆଧୁନିକ ଓଡ଼ିଶାର ଗଠନରେ ଯୁବପିଢ଼ିଙ୍କ ଭୂମିକା ଏବଂ ନୂଆ ବ୍ୟବସାୟିକ ସୁଯୋଗ ଦେଖିବାକୁ ଆପଣ ପାଇପାରିବେ । କେବଳ ଓଡ଼ିଶା ନୁହେଁ, ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆଙ୍କ ସଫଳତା ଓ ସେମାନଙ୍କ ସାଂସ୍କୃତିକ ଚିନ୍ତାଧାରା ଆପଣ ଜାଣିପାରିବେ ।
ଖୋଲା କଥାବାର୍ତ୍ତା ଏବଂ ସରଳ ଉପସ୍ଥାପନା ଏହାର ମୁଖ୍ୟ ଆକର୍ଷଣ। ଓଡ଼ିଆ ଭାଷା ଓ ଜାତିକୁ ନେଇ ଗର୍ବ ଅନୁଭବ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ‘ଓ ଓଡ଼ିଶା’ ଏକ ପ୍ରକୃତ ସାଥୀ ହେବ । ଆଗାମୀ ଦିନରେ ଏହି ପଡ଼କାଷ୍ଟ ଓଡ଼ିଶାର ସାଂସ୍କୃତିକ ଆନ୍ଦୋଳନରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ।