ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାକୁ ନେଇ ଏବେ ଛନକା ପଶିଛି । ଗୋଟେ ପରେ ଗୋଟେ ଗିରଫ ସଂଖ୍ୟା ବଢ଼ିବା ପରେ କିଏ ସେ ମୁଖ୍ୟ କାର୍ପଟଦାର ତାକୁ ନେଇ ଚର୍ଚା ବଢ଼ୁଛି । କ୍ରାଇମ୍ବ୍ରାଞ୍ଚ ହାତରେ ଆହୁରି ଅଧିକ ପ୍ରମାଣ ଲାଗିଛି। ବର୍ଷ ବର୍ଷ ଧରି ଅଭିଯୋଗ ହେଉଥିଲା । ଏବେ ସତ୍ୟ ପଦାକୁ ଆସିଛି ।
ତଥ୍ୟ ଅନୁଯାୟୀ ଯୋଜନାବଦ୍ଧ ଭାବେ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ଚୋରି ହୋଇଥିଲା। କଟକ ବୋର୍ଡ କାର୍ଯ୍ୟାଳୟରୁ ପ୍ରଶ୍ନପତ୍ର ପ୍ରଥମେ ନୟାଗଡ଼ ଓ ପରେ ରାୟଗଡ଼ାରେ ପହଞ୍ଚିଥିଲା । ସେଠାରେ ଇଂରାଜୀ ପ୍ରଶ୍ନପତ୍ରର ଓଡ଼ିଆ ଅନୁବାଦ ସହ ଉତ୍ତର ହାତରେ ଲେଖି ଅନ୍ୟତ୍ର ପଠାଯାଇଥିଲା। ଏହି ସମୟରେ ପ୍ରଶ୍ନପତ୍ରର ନକଲ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ବୋର୍ଡର ପୂର୍ବତନ ଡାଟା ଏଣ୍ଟ୍ରି ଅପରେଟର୍ ଜିତନ୍ ମହାରଣା ଓ ବୋର୍ଡର ପୂର୍ବତନ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏସବୁର ମାଷ୍ଟରମାଇଣ୍ଡ ବୋଲି ଧୀରେଧୀରେ ସ୍ପଷ୍ଟ ହେଉଛି।
ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ କ୍ରାଇମବ୍ରାଞ୍ଚ ଜିତନ୍ ଓ ପୂର୍ବତନ କ୍ୟାଡର ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଥିଲା। ଜିତନ ପ୍ରଥମେ ଡକ୍ଟର ମହାନ୍ତିଙ୍କ ଲାପ୍ଟପ୍ରୁ ଏକ ପେନ୍ଡ୍ରାଇଭ୍ରେ ପ୍ରଶ୍ନପତ୍ର ନେଇଥିଲା। ପରେ ପ୍ରଶ୍ନପତ୍ରର ଏକ ପ୍ରିଣ୍ଟ ବାହାର କରିଥିଲା। ଏହାପରେ ସେ ଉକ୍ତ ପ୍ରିଣ୍ଟ କପି ଓ ପେନ୍ଡ୍ରାଇଭକୁ ପାର୍ସଲ କରି ନୟାଗଡ଼ର ବିଜୟ ମିଶ୍ରର ଭାଇଙ୍କୁ ଦେଇଥିଲା। ଜିତନ କଟକରୁ ଏକ କାର୍ ଭଡ଼ା କରି ନିଜେ ଏସବୁ ଦେବାକୁ ଯାଇଥିଲା। ନୟାଗଡ଼ରେ ପହଞ୍ଚିବା ପରେ ଜିତନ ପାର୍ସଲଟିକୁ ବିଜୟର ଭାଇକୁ ହସ୍ତାନ୍ତର କରିଥିଲା। ଏହାପରେ ନୟାଗଡ଼ରୁ ବିଜୟର ଭାଇ ରାୟଗଡ଼ା ଯାଇଥିଲେ।