ଆଦିବାସୀଙ୍କ ଜମିପଟ୍ଟା ଓଡ଼ିଆ ଓ ଇଂରାଜୀରେ ଲେଖାଯିବ

ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ରାଜ୍ୟର ଆଦିବାସୀମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କହିବା ଅନୁସାରେ, ଆଦିବାସୀମାନେ କେବଳ ହିତାଧିକାରୀ ନୁହନ୍ତି, ସେମାନେ ପ୍ରଗତିର ସହଭାଗୀ। ଦ୍ୱିଭାଷୀ ରେକର୍ଡ ଅଫ୍ ରାଇଟ୍‌ସ (RoR): ଆଦିବାସୀଙ୍କ ଜମି ପଟ୍ଟା ବା ରେକର୍ଡ ଅଫ୍ ରାଇଟ୍‌ସ ଏବେ ଓଡ଼ିଆ ଏବଂ ଇଂରାଜୀ— ଉଭୟ ଭାଷାରେ ଲେଖାଯିବ। ଏହା ଦ୍ୱାରା ସୂଚନା ପାଇବା ଏବଂ କାର୍ଯ୍ୟଧାରାରେ ସ୍ୱଚ୍ଛତା ଆସିବ। ଆଦିବାସୀ ପୂଜକଙ୍କ ପାଇଁ ଭତ୍ତା: ଆଦିବାସୀ ଗ୍ରାମର ପୂଜକମାନଙ୍କ ପାଇଁ ମାସିକ ଭତ୍ତା (Honorarium) ବ୍ୟବସ୍ଥା ଏବଂ ସେମାନଙ୍କ ପୂଜାସ୍ଥଳୀଗୁଡ଼ିକର ସୁରକ୍ଷା ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ରସ୍ତାବ ଦେଇଛନ୍ତି। ଏକଲବ୍ୟ ସ୍କୁଲରେ କଳା ଓ ବାଣିଜ୍ୟ: ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲଗୁଡ଼ିକରେ କେବଳ ବିଜ୍ଞାନ ନୁହେଁ, ବରଂ କଳା (Arts) ଓ ବାଣିଜ୍ୟ (Commerce) ବିଷୟ ରଖିବା ପାଇଁ ସୁପାରିସ କରାଯାଇଛି। ପେସା (PESA) ନିୟମାବଳୀ: ପେସା ଅଧିନିୟମର ଓଡ଼ିଶାଭିତ୍ତିକ ନିୟମାବଳୀକୁ ଅନୁଧ୍ୟାନ କରିବା ପାଇଁ ଏକ ଆନ୍ତଃବିଭାଗୀୟ କମିଟି ଗଠନ କରାଯାଇଛି, ଯାହା ପରବର୍ତ୍ତୀ ବୈଠକରେ ନିଜର ସୁପାରିସ ଦାଖଲ କରିବ।

Leave a comment