ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ ସଂଘର୍ଷ କରୁଥିବା ବେଳେ ଅଶ୍ୱିନ ନିଜ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ହାସଲ କରିଥିଲେ। ଏହା ସହିତ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୬ ଉଇକେଟ ହରାଇ ୩୩୯ ରନ୍‌ ସଂଗ୍ରହ କରିଛି।ହସନ ମେହମୁଦଙ୍କ ଘାତକ ସ୍ପେଲ୍‌: ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ଚେନ୍ନାଇର ଲାଲ ମାଟିର ପିଚ୍‌ରେ ସାମାନ୍ୟ ବାଉନ୍ସ ରହିଥିବା ବେଳେ ଭ୍ରମଣକାରୀ ବାଂଲାଦେଶ ପକ୍ଷରୁ ହସନ ମେହମୁଦ ଅଗ୍ନିବର୍ଷୀ ବୋଲିଂ କରିଥିଲେ। ପ୍ରଥମ ସେସନ୍‌ରେ ୫-୨-୬-୩ର ଚମତ୍କାର ସ୍ପେଲ ବୋଲିଂ କରିଥିଲେ। ଏହା ମଧ୍ୟରେ ରୋହିତ ଶର୍ମା(୬), ଶୁବମାନ ଗିଲ୍‌(୦) ଓ ବିରାଟ କୋହଲି(୬)ଙ୍କ ପ୍ରାଇଜ୍‌ ଉଇକେଟ ସାମିଲ ଥିଲା। ପରେ ଯଶସ୍ବୀ ଜୟସ୍ବାଲ(୫୬) ଓ ରିଷଭ ପନ୍ତ(୩୯) ଚତୁର୍ଥ ଉଇକେଟରେ ୬୨ ରନ୍‌ ଯୋଡି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ। ଲଞ୍ଚ ପରେ ପନ୍ତଙ୍କୁ ନିଜର ଚତୁର୍ଥ ଶିକାର କରିଥିଲେ ହସନ।