ଭାରତ-ବାଂଲାଦେଶ ଦୁଇ ଦଳକୁ ଝଟକା ଦେଲା

ଭାରତ-ବାଂଲାଦେଶ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ । ଦମଦାର ବୋଲିଂ କରି ଟିମ ଇଣ୍ଡିଆ ବାଂଲାଦେଶକୁ ଖୁବ ପଛରେ ପକାଇ ଦେଇଛି । ଭାରତୀୟ ବୋଲରଙ୍କ ସଠିକ ବୋଲିଂରେ ବାଂଲାଦେଶର ବଡ଼ ସ୍କୋର କରିବା ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି । ତେବେ ଆଜିର ଏହି ପ୍ରଥମ ଟି-୨୦ ମ୍ୟାଚ୍ ଅନ୍ୟ ୨ଟି ଦଳ ପାଇଁ ଖୁବ ମହଙ୍ଗା ପଡ଼ିଛି । ଆଇପିଏଲ-୨୦୨୫ ପୂର୍ବରୁ ୨ଟି ଦଳକୁ ଶକ୍ତ ଝଟକା ଦେଇଛି ଭାରତ-ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚ୍ । ଆଇପିଏଲର ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ଦଳ ପାଇଁ ଏହି ମ୍ୟାଚ୍ ଖୁବ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି ।

ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଏହି ମ୍ୟାଚରେ ସ୍ପିଡ ଷ୍ଟାର ମୟଙ୍କ ଯାଦବ ଡେବୁ୍ୟ କରିଛନ୍ତି । ଭାରତର ପୂର୍ବତନ କ୍ରିକେଟର ମୁରଲୀ କାର୍ତ୍ତିକଙ୍କ ହାତରୁ ଟି-୨୦ ଡେବୁ୍ୟ କ୍ୟାପ୍ ଗ୍ରହଣ କରିଛନ୍ତି ମୟଙ୍କ । ସେହିପରି ଯୁବ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ମଧ୍ୟ ଏହି ମ୍ୟାଚ୍ ଜରିଆରେ ଟି-୨୦ କ୍ରିକେଟରେ ପଦାର୍ପଣ କରିଛନ୍ତି । ପୂର୍ବତନ କ୍ରିକେଟର ପାର୍ଥିବ ପଟେଲ ନୀତିଶଙ୍କୁ ଡେବୁ୍ୟ କ୍ୟାପ୍ ପ୍ରଦାନ କରିଛନ୍ତି । ଏହାସହିତ ଉଭୟ ଖେଳାଳି ବର୍ତ୍ତମାନ କ୍ୟାପ୍ଡ ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଏହାସହିତ ଆଇପିଏଲ-୨୦୨୫ ପାଇଁ ଏମାନଙ୍କୁ ଅନକ୍ୟାପ୍ଡ ଖେଳାଳି ଭାବରେ ଦଳ ସାମିଲ କରିପାରିବ ନାହିଁ । ଫଳରେ ଉଭୟଙ୍କ ଆଇପିଏଲ ଦଳକୁ ଶକ୍ତ ଝଟକା ଲାଗିଛି ।