ପାରାଲିମ୍ପିକ୍ସରେ ଭାରତ ନୂଆ ମାଇଲ୍ଖୁଣ୍ଟ ଛୁଇଁଛି
ପାରାଲିମ୍ପିକ୍ସରେ ଭାରତ ନୂଆ ମାଇଲ୍ଖୁଣ୍ଟ ଛୁଇଁଛି। ଏହି ପ୍ରତିଯୋଗିତା ଲାଗି ୮୪ ଜଣିଆ ଭାରତୀୟ ପାରାଆଥ୍ଲେଟ୍ ୨୫ ପଦକ ଲକ୍ଷ୍ୟ ନେଇ ଫ୍ରାନ୍ସ ରାଜଧାନୀ ଗସ୍ତ କରିଥିଲେ। ହେଲେ ଏମାନେ ଅତୁଳନୀୟ ପ୍ରଦର୍ଶନ ଦେଇ ଏହାକୁ ଟପି ଯାଇଛନ୍ତି। ୭ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୩ କାଂସ୍ୟ ସହ ମୋଟ ୨୯ ପଦକ ପାଇ ଅଷ୍ଟାଦଶ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ। ଗତ ସଂସ୍କରଣ (ଟୋକିଓ)ରେ ଭାରତର ୫୪ ଜଣ ଅଂଶଗ୍ରହଣ କରି କୀର୍ତ୍ତିମାନଭରା ୧୯ ପଦକ ଜିତିଥିଲା। ଏଥିରେ ୫ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୬ କାଂସ୍ୟ ସାମିଲ ଥିଲା। ଏହା ପୂର୍ବରୁ ଶେଷ ହୋଇଥିବା ୧୧ଟି ସଂସ୍କରଣରେ ଭାରତ କେବଳ ୪ ସ୍ବର୍ଣ୍ଣ ସହ ୧୧ ପଦକ ଜିତିବାକୁ ସକ୍ଷମ ହୋଇଥିଲା। ଚୀନ୍ ୨୨୦ (୯୪ ସ୍ବର୍ଣ୍ଣ, ୭୬ ରୌପ୍ୟ, ୫୦ କାଂସ୍ୟ), ବ୍ରିଟେନ୍ ୧୨୪ (୪୯ ସ୍ବର୍ଣ୍ଣ, ୪୪ ରୌପ୍ୟ, ୩୧ କାଂସ୍ୟ) ଏବଂ ଆମେରିକା ୧୦୫ (୩୬ ସ୍ବର୍ଣ୍ଣ, ୪୨ ରୌପ୍ୟ, ୨୭ କାଂସ୍ୟ) ପଦକ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଛନ୍ତି।