ନେଦରଲାଣ୍ଡସକୁ ୧୬୦ ରନରେ ହରାଇଲା ଭାରତ

ବାଙ୍ଗାଲୋର: ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସକୁ ୧୬୦ ରନରେ ପରାସ୍ତ କରିଛି  ଭାରତ ।  ନେଦରଲାଣ୍ଡସ ଆଗରେ ୪୧୧ ରନର ବିଶାଳ ଲକ୍ଷ୍ୟ ରହିଥିବାବେଳେ ୨୫୦ ରନରେ ଅଲଆଉଟ ହୋଇଛି ଦଳ ।  ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପାଇଁ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍‌ ଗିଲ। ରୋହିତ ୫୪ଟି ବଲ୍‌ ଖେଳି ୮ଟି ଚୌକା ଓ ୨ଟି ଛକା ବଳରେ ୬୧ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଯୁବ ବ୍ୟାଟର ଗିଲ୍‌ଙ୍କ ବ୍ୟାଟରୁ ୫୧ ରନ୍‌ ଅମଳ ହୋଇଥିଲା। ଗିଲ୍‌ ୩୨ଟି ବଲ୍‌ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ। ଭାରତୀୟ ବ୍ୟାଟର ବିରାଟ କୋହଲି ଆଜି ଦିନିକିଆ କ୍ରିକେଟରେ ୭୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫ଟି ଚୌକା ଓ ଗୋଟିଏ ଛକା ବଳରେ ମୋଟ୍‌ ୫୧ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। କେ.ଏଲ. ରାହୁଲ ୪ଟି ଛକା ଓ ୧୧ଟି ଚୌକା ସହାୟତାରେ ୬୪ ବଲରେ ୧୦୨ରନ ସଂଗ୍ରହ କରିଥିଲେ । ସେହିପରି ୯୪ବଲରେ ୫ଛକା ଓ ୧୦ଟି ଚୌକା ମାରି ୧୨୮ରନ କରିଥିଲେ ଶ୍ରେୟସ ଆୟର ।  ଜବାବରେ ୪୧୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ନେଦରଲାଣ୍ଡସ । ନିୟମିତ ଭାବେ ଦଳର ଓ୍ବିକେଟ ପତନ ନେଦରଲାଣ୍ଡସକୁ ପରାଜୟ ଦ୍ବାରଦେଶକୁ ନେଇଯାଇଥିଲା । ଶେଷରେ ୨୫୦ ରନରେ ଦଳ ଅଲଆଉଟ ହୋଇଯାଇଥିଲା ।