ଜାପାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ : ୨୦୨୧ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ  ଜାପାନକୁ ୫-୦ରେ ପରାସ୍ତ କରି ଏସୀୟ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ଭାରତ । ଫାଇନାଲରେ ଭାରତ ମାଲେସିଆକୁ ଭେଟିବ । ଭାରତ ପକ୍ଷରୁ ପ୍ରଥମ ଗୋଲ ଆକାଶଦୀପ ସିଂ କରିଥିବାବେଳେ ୨ୟ ଗୋଲ ଅଧିନାୟକ ହରମନପ୍ରୀତ ସିଂ ଏକ ପେନାଲଟି କର୍ଣ୍ଣର ମାଧ୍ୟମରେ ଦେଇଥିଲେ । ୩ୟ ଗୋଲ୍ ମନଦୀପ ଓ ୪ର୍ଥ ଗୋଲ୍ ସୁମୀଲ୍ ଦେଇଥିଲେ । ୫ମ ଗୋଲ୍ କାର୍ଥି ସେଲଭମ୍ ଦେଇଥିଲେ ।

ଆଇସିସି ଟ୍ବେଣ୍ଟି-୨୦ ବୋଲର୍‌ ମାନ୍ୟତାର ଏକ ନମ୍ବର ସ୍ଥାନ ଅଧିକାର କରି ନେଇଛନ୍ତି ସ୍ପିନର ବରୁଣ ଚକ୍ରବର୍ତ୍ତୀ

ଭାରତୀୟ ବିସ୍ମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ ଘଟଣା ବହୁଳ କ୍ରିକେଟ୍ କ୍ୟାରିୟର୍‌ରେ ଏକ ବଡ଼ ଲମ୍ଫ ମାରି ଆଇସିସି ଟ୍ବେଣ୍ଟି-୨୦ ବୋଲର୍‌ ମାନ୍ୟତାର ଏକ ନମ୍ବର ସ୍ଥାନ ଅଧିକାର କରି ନେଇଛନ୍ତି। ଚଳିତ ଏସିଆ କପ୍‌ରେ ୟୁଏଇ ବିପକ୍ଷରେ ୪ ରନ୍ ଏବଂ ପାକିସ୍ତାନ ବିପକ୍ଷରେ ୨୪ ରନ୍ ଖର୍ଚ୍ଚ କରି ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିବା ପରେ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ଏବଂ ଲେଗ୍‌ସ୍ପିନର ରବି ବିଷ୍ଣୋଇଙ୍କ ପରେ ତୃତୀୟ ଭାରତୀୟ ଭାବେ ଏଭଳି ସଫଳତା ପାଇଛନ୍ତି ସେ। ୩୪ବର୍ଷୀୟ ଚକ୍ରବର୍ତ୍ତୀ ଏହିକ୍ରମରେ ନ୍ୟୁଜିଲାଣ୍ଡର ଜ୍ୟାକବ୍ ଡଫିଙ୍କୁ ଦ୍ବିତୀୟ ସ୍ଥାନକୁ ଠେଲି ଦେଇଛନ୍ତି।

ଡଫି ଏହି ସ୍ଥାନରେ ଗତ ମାର୍ଚ୍ଚ ମାସଠାରୁ ଜମି ରହିଥିଲେ। ସେହିଭଳି ଶ୍ରୀଲଙ୍କାର ନୁୱାନ ତୁଷାରା ମଧ୍ୟ ୬ଟି ସ୍ଥାନ ଉପରକୁ ଉଠି ଷଷ୍ଠରେ ପହଞ୍ଚି ଯାଇଛନ୍ତି। ପାକିସ୍ତାନର ବାମହାତୀ ଦ୍ରୁତ ‌ବୋଲର ସୁଫିଆନ ମକିମ ଚାରିଟି ସ୍ଥାନ ଆଗକୁ ବଢ଼ି ଏକାଦଶ ସ୍ଥାନରେ ରହିଛନ୍ତି। ଭାରତୀୟ ରାଉଣ୍ଡର୍ ତଥା ବାମହାତୀ ସ୍ପିନର ଅକ୍ଷର ପଟେଲ ଗୋଟିଏ ସ୍ଥାନ ଫାଇଦାରେ ରହି ଦ୍ବାଦଶ, କଚଟି ସ୍ପିନର କୁଲଦୀପ ଯାଦବ ୧୬ଟିସ୍ଥାନ ଉପରକୁ ଉଠି ୨୩ତମରେ ଦୃଢ଼ ରହିଛନ୍ତି। ଟ୍ବେଣ୍ଟି-୨୦ ବ୍ୟାଟର୍‌ ମାନ୍ୟତାରେ ଭାରତୀୟ ଯୁବ ଓପନର୍‌ ଅଭିଷେକ ଶର୍ମା ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରି ନେଇଛନ୍ତି। ଇଂଲଣ୍ଡର ଫିଲ୍ ସଲ୍‌ଟ ଓ ଜୋସ୍ ବଟଲର୍‌ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବଟଲର ନିଜ କ୍ୟାରିୟର୍‌ରେ ପ୍ରଥମ ଥର ଲାଗି ଶ୍ରେଷ୍ଠ ୩ରେ ପ୍ରବେଶ କରି ନିଜ ପ୍ରତିଭାର ବଳିଷ୍ଠ ପ୍ରମାଣ ଦେଇଛନ୍ତି।

୫୭୯ କୋଟି ଟଙ୍କାରେ ଆପୋଲୋ ଟାୟର୍ସ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ପ୍ରାୟୋଜକ

ବିସିସିଆଇ ଏକ ନୂଆ ସ୍ପନସର ପାଇଛି ।  ଆପୋଲୋ ଟାୟର୍ସ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ପ୍ରାୟୋଜକ ହୋଇଛି। ଏନେଇ ବିସିସିଆଇ ଆନୁଷ୍ଠାନିକ ଭାବରେ ଚୁକ୍ତି ଚୂଡ଼ାନ୍ତ ହେବା ନିଶ୍ଚିତ କରିଛି।  ଏହି ଚୁକ୍ତି ୫୭୯ କୋଟି ଟଙ୍କାରେ ନିଶ୍ଚିତ ହୋଇଛି, ଯାହା ଆଗାମୀ ଅଢ଼େଇ ବର୍ଷ ପାଇଁ ରହିବ। ଏହି ସମୟ ମଧ୍ୟରେ, ଭାରତୀୟ ଦଳ ୧୨୧ ଦ୍ୱିପାକ୍ଷିକ ମ୍ୟାଚ୍ ଏବଂ ବହୁ-ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ୨୧ ମ୍ୟାଚ୍ ଖେଳିବ। ପୂର୍ବରୁ ଭାରତୀୟ ଦଳ ‘ଡ୍ରିମ-୧୧’ ଜର୍ସି ପିନ୍ଧି ଖେଳୁଥିଲା, କିନ୍ତୁ ଅନଲାଇନ୍ ଗେମିଂ ବିଲ୍  ବ୍ୟାନ ପରେ  ଏହାକୁ ବାଦ ଦିଆଯାଇଥିଲା।

ହରିଆଣାର ଗୁରୁଗ୍ରାମରୁ ପରିଚାଳିତ ଆପୋଲୋ ଟାୟର୍ସ ବିଶ୍ୱର ୧୦୦ ରୁ ଅଧିକ ଦେଶରେ ସକ୍ରିୟ ଅଛି। ଏହା କାନଭା ଏବଂ ଜେକେ ସିମେଣ୍ଟ୍ସ କମ୍ପାନୀଠାରୁ ପ୍ରତିଯୋଗିତାର ସମ୍ମୁଖୀନ ହୋଇଥିଲା, ଯେଉଁମାନେ ଯଥାକ୍ରମେ ୫୪୪ କୋଟି ଏବଂ ୪୭୭ କୋଟି ଟଙ୍କା ନିଲାମ ଡାକିଥିଲେ ।

ଏସିଆ କପ ପୂର୍ବରୁ  DREAM -11 ପ୍ରୋଯୋଜକରୁ ବାହାରି ଯାଇଥିଲା ।  ୩୫୮ କୋଟିର ସ୍ପନସରସିପ ଚୁକ୍ତି ହୋଇଥିଲା ବାତିଲ ।  ସଂସଦରେ ଅନ୍ଲାଇନ୍ ଗେମିଂ ବିଲ୍, ୨୦୨୫ ର ପ୍ରମୋସନ ଏବଂ ରେଗୁଲେସନ୍ ପାସ୍ ହେବା ପରେ ବିସିସିଆଇ ଏବଂ DREAM 11 ସେମାନଙ୍କ ଚୁକ୍ତି ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଡ୍ରିମ-୧୧ ବିସିସିଆଇ ସହ ୩୫୮ କୋଟି ଟଙ୍କାର ଡିଲ୍  କରିଥିଲା । ଯେଉଁଥିରେ ଟିମ୍ ଇଣ୍ଡିଆର ଜର୍ସିରେ ଡ୍ରିମ୍ -11 ଲୋଗୋ ସ୍ଥାନ ପାଇଥିଲା ।  ‘ଅନ୍ଲାଇନ୍ ଗେମିଂ ବିଲ୍ 2025’ ପାରିତ ପରେ DREAM -11ର ବିଜିନେସ ପ୍ରଭାବିତ ହୋଇଛି । ଆୟର ପ୍ରାୟ ୯୦% କ୍ଷତିଗ୍ରସ୍ତ ହୋଇଛି ।  ଡ୍ରିମ୍ ୧୧ ଭାରତୀୟ କ୍ରିକେଟ ଟିମର ମୁଖ୍ୟ ସ୍ପନସର ଥିଲା । ୨୦୨୩ରୁ ୨୦୨୬ ପର୍ଯ୍ୟନ୍ତ ପ୍ରାୟ ୩୫୮ କୋଟି ଟଙ୍କାର ଚୁକ୍ତି କରିଥିଲା । ଏହି ଚୁକ୍ତି ଅନୁଯାୟୀ ଡ୍ରିମ୍ ୧୧ ପ୍ରତି ହୋମ୍ ମ୍ୟାଚ୍ ପାଇଁ ୩ କୋଟି ଟଙ୍କା ଓ  ପ୍ରତି ବାହାର ମ୍ୟାଚ୍ ପାଇଁ ୧ କୋଟି ଟଙ୍କା ଦେଉଥିଲା ।

ଆସନ୍ତା ୧୭ରୁ ୨୬ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍

ଓଡ଼ିଶା କ୍ରିକେଟ ସଂଘ (ଓସିଏ) ଓ ଆରିଭା ‌ସ୍ପୋର୍ଟ୍ସ ମିଳିତ ଉଦ୍ୟମରେ ଆସନ୍ତା ୧୭ରୁ ୨୬ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍‌) ବାରବାଟୀ ଷ୍ଟାଡିୟମ‌ରେ ଅନୁଷ୍ଠିତ ହେବ। ବୁଧବାର ଅପରାହ୍‌ଣ ୫ରୁ ୭ଟା ପର୍ଯ୍ୟନ୍ତ ଉଦ୍‌ଘାଟନୀ ସମାରୋହ ହେବ। ଏଥିରେ ବଲିଉଡ୍ ଷ୍ଟାର୍‌ଙ୍କ ସମେତ ଋତୁରାଜ ମହାନ୍ତି, ନକାସ୍ ଅଜିଜ୍, ଚିତ୍ରାଙ୍ଗଦା ସିଂହ ପ୍ରମୁଖଙ୍କ ପ୍ରଦର୍ଶନ ଦେଖିବାକୁ ମିଳିବ। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓପିଟିଏଲ୍‌ ଟ୍ରଫି ଉନ୍ମୋଚନ କରିବେ। ଏହି ପ୍ରତିଯୋଗିତାରେ ୬ଟି ଦଳ ରହିଥିବା ବେଳେ ମୋଟ ୧୮ଟି ମ୍ୟାଚ୍‌ ଖେଳାଯିବ। ବ୍ରାଣ୍ଡ ଆମ୍ବାସାଡାର ଭାବେ ଇର୍ଫାନ ପଠାନ ଓ ଦେବାଶିଷ ମହାନ୍ତି ଚୟନ ହୋଇଛନ୍ତି। ବିଜେତା ଦଳକୁ ୫୦ଲକ୍ଷ ଓ ଉପବିଜେତାକୁ ୨୫ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବ।ପ୍ରତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳିଙ୍କୁ ୧୦ହଜାର, ଲିଗ୍‌ର ଶ୍ରେଷ୍ଠ ଖେଳାଳିଙ୍କୁ ୧ଲକ୍ଷ ଟଙ୍କା, ଶ୍ରେଷ୍ଠ ବ୍ୟାଟସ୍‌ମ୍ୟାନ ଓ ବୋଲରଙ୍କୁ ୫୦ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଓସିଏ ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଷ୍ଟାର୍‌ ସ୍ପୋର୍ଟ୍ସ ଖେଲ୍‌ ଓ ଫ୍ୟାନ୍‌କୋଡ୍‌ରେ ଏହି ପ୍ରତିଯୋଗିତାର ସିଧା ପ୍ରସାରଣ କରାଯିବ। କ୍ରିକେଟ୍‌ପ୍ରେମୀ ମାଗଣାରେ ଗ୍ୟାଲେରି ନଂ-୧, ୩ ଓ ୫ ବସି ଖେଳ ଉପଭୋଗ କରିପାରିବେ। ଏଥି ପାଇଁ ସେମାନେ ଟିକେଟ୍ ଜେନିରୁ ଟିକଟ ସଂଗ୍ରହ କରିବାକୁ ପଡ଼ିବ। ସାମ୍ବାଦିକ ସମ୍ମିଳନୀରେ ଓସିଏ ସିଇଓ ସୁବ୍ରତ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଏବଂ ଆରିଭା ସ୍ପୋର୍ଟ୍ସ ଅପରେସନ୍ସ ମୁଖ୍ୟ ସଲମାନ ଖାନ୍‌ ଉପସ୍ଥିତ ଥିଲେ।

ଏସିଆ କପ୍‌- ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲେ ଭାରତ

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରବର୍ତ୍ତୀ ଅପରେସନ୍‌ ସିନ୍ଦୂରର ସଫଳତା ପରେ କ୍ରିକେଟ୍‌ ପଡ଼ିଆରେ ବି ଭାରତୀୟ ଖେଳାଳି ପାକିସ୍ତାନକୁ ପାଣି ପିଆଇଛନ୍ତି। ଚଳିତ ଏସିଆ କପ୍‌ର ଲିଗ୍ ମୁକାବିଲାରେ ପାକିସ୍ତାନକୁ ଭାରତ ୭ ୱିକେଟ୍‌ରେ ହରାଇ କ୍ରମଗାତ ଦ୍ବିତୀୟ ବିଜୟ ପାଇଛି। ଭାରତୀୟ ବୋଲରମାନେ ପାକିସ୍ତାନକୁ ୧୨୭/୯ରେ ରୋକିଦେବା ପରେ ଜନ୍ମଦିନରେ ସୂର୍ଯ୍ୟକୁମାର ଯାଦବଙ୍କ ଦାୟିତ୍ବପୂର୍ଣ୍ଣ ପାଳି (୩୭ ବଲ୍‌ରୁ ୪୭* ରନ୍) ଭାରତକୁ ସହଜ ବିଜୟ ଦେଇଛି। ପୂର୍ବରୁ ଶୁବମନ ଗିଲ୍ (୧୦) ଶସ୍ତାରେ ଆଉଟ୍ ହୋଇଯିବା ପରେ ଅଭିଷେକ ଶର୍ମା (୧୩ ବଲ୍‌ରୁ ୩୧ ରନ୍) ଏବଂ ତିଳକ ବର୍ମା (୩୧ ବଲ୍‌ରୁ ୩୧ ରନ୍) ପାଲଟା ପାଳି ଖେଳିଥିଲେ। କୁଲଦୀପ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଆତଙ୍କବାଦକୁ ପାକିସ୍ତାନର ନିରନ୍ତର ଓ ନିରବଚ୍ଛିନ୍ନ ସମର୍ଥନ ପାଇଁ ବିବାଦ, ବିତର୍କ ଓ ବର୍ଜନର ଆହ୍ବାନ ଭିତରେ ଆରମ୍ଭ ହୋଇଥିଲା ଏହି ହାଇଭୋଲ୍‌ଟେଜ୍ ମ୍ୟାଚ୍। ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାର ପ୍ରଭାବ ଯେ ଉଭୟ ଦେଶର ଖେଳାଳିଙ୍କ ଉପରେ ପଡ଼ିଛି, ତାହା ବି ଟସ୍ ପଡ଼ିବା ବେଳକୁ ହିଁ ସ୍ପଷ୍ଟ ହୋଇଯାଇଥିଲା। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ୟାଦବ ତାଙ୍କ ପ୍ରତିପକ୍ଷ ସଲମାନ ଆଗାଙ୍କ ସହ କରମର୍ଦ୍ଦନ କରିବାକୁ ମନା କରି ପରୋକ୍ଷରେ ପାକିସ୍ତାନ ଆଚରଣକୁ କଟାକ୍ଷ କରିଥିଲେ। ପୁଣି ଆଗା ଦୁବାଇ ପିଚ୍‌ର ପରମ୍ପରା ବିପରୀତ ଟସ୍ ଜିତି ବ୍ୟାଟିଂ କରିବା ନିଷ୍ପତ୍ତି ନେବା ସୂର୍ଯ୍ୟଙ୍କୁ ତାଙ୍କ ଜନ୍ମଦିନର ଉପହାର ଭଳି ଥିଲା। ହାର୍ଦିକ ପାଣ୍ଡ୍ୟା ୱାଇଡ୍‌ ବଲ୍‌ରୁ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ପ୍ରଥମ ବୈଧ ବଲ୍‌ରେ ହାର୍ଦିକ ପାକିସ୍ତାନ ଓପନର୍ ସୈମ ଆୟୁବଙ୍କୁ ଶିକାର କରିବା ଭାରତୀୟ ପ୍ରଶଂସକଙ୍କୁ ଉଲ୍ଲସିତ କରିଥିଲା। ଯଶପ୍ରୀତ୍ ବୁମ୍‌ରା ପରବର୍ତ୍ତୀ ଓଭରରେ ମହମ୍ମଦ ହାରିସଙ୍କ ୱିକେଟ୍ ନେବା ପରେ ପାକିସ୍ତାନ ମାତ୍ର ୬ ରନ୍‌ରେ ଦୁଇଟି ୱିକେଟ୍‌ ହରାଇ ଏକପ୍ରକାର ଆତ୍ମବିଶ୍ବାସ ହରାଇ ବସିଥିଲା। ଏହା ପରେ କୁଲଦୀପ ୟାଦବ ଓ ଅକ୍ଷର ପଟେଲ ତାଙ୍କ ସ୍ପିନ୍‌ ଯାଦୁ ଦେଖାଇ ଥିଲେ।

ଏସିଆ କପ୍ : ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପର ୬ଷ୍ଠ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଭାରତ ପକ୍ଷରୁ ସୂର୍ଯ୍ୟକୁମାର  ଯାଦବ ୪୭ ରନ କରିଥିବାବେଳେ ଶୁବମନ ଗିଲ ୧୦ ରନ ଓ ଅଭିଷେକ ଶର୍ମା ୩୧ ରନ କରିଥିଲେ । ତିଳକ ବର୍ମା ୩୧ ରନର ଲଢୁଆ ଇନିଂସ ଖେଳିଥିଲେ । ଏହି ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚର ପ୍ରଥମ ଓଭରରେ ହିଁ ସଇମ ଆୟୁବଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ପାଣ୍ଡ୍ୟାଙ୍କ ବଲକୁ ଖେଳିବାକୁ ଯାଇ ଆୟୁବ ବୁମରାଙ୍କ ହାତରେ ଧରା ପଡ଼ିଥିଲେ। ସେହିପରି ୨ୟ ଓଭରରେ ବୁମରାଙ୍କ ବଲକୁ ଖେଳିବାକୁ ଯାଇ ମହମ୍ମଦ ହ୍ୟାରିସ ପାଣ୍ଡ୍ୟାଙ୍କ ହାତରେ ଧରାପଡ଼ିଥିଲେ। ସେ ମାତ୍ର ୩ ରନ କରିଥିଲେ । ଏହିପରିଭାବେ ମାତ୍ର ୬ ରନରେ ପାକିସ୍ତାନ ୨ଟି ୱିକେଟ୍‌ ହରାଇଥିଲା । ଏହି ଦୁଇ ବୋଲରଙ୍କ ପରେ ଅକ୍ଷର ପଟେଲ ଓ କୂଳଦୀପ ଯାଦବ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ପାକିସ୍ତାନ ପକ୍ଷରୁ ସାହିବଜାଦା ଫରହନ ୪୦ ରନ କରିଥିବାବେଳେ ଶାହିନ ଆଫ୍ରିଦି ୩୩ ରନ କରିଥିଲେ । କୂଳଦୀପ ଯାଦବ ୩ଟି ୱିକେଟ୍‌ ନେଇଥିବାବେଳେ ବୁମରା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ସେହିପରି ବରୁଣ ଚକ୍ରବର୍ତ୍ତି ଓ ପାଣ୍ଡ୍ୟା ୧ଟି ଲେଖାଏଁ ୱିକେଟ୍‌ ନେଇଥିଲେ।