ଚାଲିଛି ଆଇପିଏଲର ମେଗା ନିଲାମ
ମେଟ୍ରୋ ଟିଭି ଓଡିଶା,୧୨/୨ : ଆଜି ଚାଲିଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୦୨୨ ସଂସ୍କରଣ ପାଇଁ ଦୁଇ ଦିନ ଧରି ମେଗା ଖେଳାଳି ନିଲାମ ବେଙ୍ଗାଲୁରୁରେ ଆୟୋଜିତ ହେବ । ନିଲାମୀରେ ସାମିଲ ହେବେ ମୋଟ୍ ୫୯୦ ଖେଳାଳି । ଏଥିରେ ଅଛନ୍ତି ୩୭୦ ଜଣ ଘରୋଇ ଏବଂ ୨୨୦ ବିଦେଶୀ ଖେଳାଳି । ପୁଣି ସେମାନଙ୍କ ମଧ୍ୟରୁ ୨୨୮ ଜଣ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବାବେଳେ ୩୫୫ ଜଣ କେବଳ ଘରୋଇ କ୍ରିକେଟ୍ରେ ସୀମିତ ରହିଛନ୍ତି ।
ମୋଟ୍ ୪୮ ଜଣ ଖେଳାଳିଙ୍କର ମୂଳ ଦର ୨ କୋଟି ରଖା ଯାଇଛି । ସେହିପରି ୨୦ ଜଣଙ୍କ ୧.୫ କୋଟି ଏବଂ ୩୪ ଜଣଙ୍କର ମୂଳଦର ୧ କୋଟି ରହିଛି । ୧୦ଟି ଯାକ ଦଳ ନିଜ ନିଜ ପସନ୍ଦର ଖେଳାଳି ଦଳରେ ସାମିଲ କରି ସାରିଛନ୍ତି । ଅବଶିଷ୍ଟ ଖେଳାଳି ନିଲାମୀରୁ କ୍ରୟ କରିବେ। ଶ୍ରେୟାସ ଆୟର, ଶିଖର ଧାୱନ, ଆର.ଅଶ୍ୱିନ, ମହମ୍ମଦ ସାମି, ଈଶାନ କିଷନ, ଅଜିଙ୍କ୍ୟ ରାହାଣେ, ସୁରେଶ ରାଇନା, ୟୁଝବେନ୍ଦ୍ର ଚହଲ, ୱାସିଂଟନ ସୁନ୍ଦର, ସର୍ଦୁଲ ଠାକୁର, ଦୀପକ ଚହର, ଈଶାନ୍ତ ଶର୍ମା ଓ ଉମେଶ ଯାଦବ ପ୍ରଭୃତି ଭାରତୀୟ ଖେଳାଳି ନିଲାମରେ ମୁଖ୍ୟ ଆକର୍ଷଣ ସାଜିବେ । ଭାରତୀୟ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଦଳର ଅଧିନାୟକ ୟଶ ଧୂଲ, ଭିକି ଓଷ୍ଟୱଲଙ୍କ ସହ କିଛି ଜୁନିୟର ଖେଳାଳିଙ୍କୁ ମଧ୍ୟ ନିଲାମ ତାଲିକାରେ ସାମିଲ କରାଯାଇଛି ।
ପ୍ରତ୍ୟେକ ଦଳର ସାଲାରି କ୍ୟାପ୍ ବା ମୂଳପୁଞ୍ଜି ରହିଛି ୯୦ କୋଟି । ସେଥିରୁ ନିଲାମ ପୂର୍ବରୁ ଖେଳାଳି ରଖି ସାରିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ପାଖରେ ୪୮ କୋଟି, ଦିଲ୍ଲୀ କ୍ୟାପିଟାଲ୍ସ ୪୭.୫ କୋଟି, କୋଲକାତା ନାଇଟ୍ ରାଇଡର୍ସ ୪୮ କୋଟି, ଲକ୍ଷ୍ନୌ ସୁପର ଜାଏଣ୍ଟସ ୫୯ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ୪୮ କୋଟି, ପଞ୍ଜାବ କିଙ୍ଗ୍ସ ୭୨ କୋଟି, ରାଜସ୍ଥାନ ରୟାଲ୍ସ ୬୨ କୋଟି, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୫୭ କୋଟି, ସନ୍ରାଇଜର୍ସ ହାଇଦ୍ରାବାଦ ୬୮ ଏବଂ ଟିମ୍ ଅହମ୍ମଦାବାଦ ପାଖରେ ୫୨ କୋଟି ଟଙ୍କା ରହିଛି ।