ଆଇପିଏଲରେ ଋଷଭ ପନ୍ତଙ୍କୁ ନେଇ ବଡ଼ ଘୋଷଣା

ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତଙ୍କ ରିଟେନସନକୁ ନେଇ ସ୍ପଷ୍ଟ ସୂଚନା ଦେଇଛି । ଆଇପିଏଲ-୨୦୨୫ ପାଇଁ ଋଷଭ ହିଁ ଦଳର ଅଧିନାୟକ ରହିବେ ବୋଲି କହିଛି ଫ୍ରାଞ୍ଚାଇଜି । ଗତ ମେଗା ଅକ୍ସନ ଭଳି ଆସନ୍ତା ସିଜନରେ ମଧ୍ୟ ଋଷଭ ହିଁ ଦିଲ୍ଲୀର ପ୍ରଥମ ରିଟେନ୍ ଖେଳାଳି ରହିବେ । ତେବେ ଏହି ଘୋଷଣା ସହିତ ଋଷଭଙ୍କୁ ନେଇ ଚାଲିଥିବା ସମସ୍ତ ଆଲୋଚନାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଦୀର୍ଘ ଦିନରୁ ଏହା ଆଲୋଚନା ହେଉଥିଲା ଯେ, ଆସନ୍ତା ଆଇପିଏଲ ସିଜନ ପୂର୍ବରୁ ଋଷଭ ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ିପାରନ୍ତି । ଏହାସହିତ ସେ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇପାରନ୍ତି ବୋଲି ମଧ୍ୟ ଖୁବ ଆଲୋଚନା ହେଉଥିଲା । କିନ୍ତୁ ବର୍ତ୍ତମାନ ଏହିସବୁ ଆଲୋଚନାରେ ପୂର୍ଣ୍ଣ ବିରାମ ଲାଗିଛି ।ତେବେ ଆସନ୍ତା ସିଜନରେ ଋଷଭଙ୍କୁ ସାମିଲ କରିବା ସହ ତାଙ୍କୁ ଉପହାର ମଧ୍ୟ ଦେଇପାରେ ଦିଲ୍ଲୀ । ଆସନ୍ତା ସିଜନରେ ଋଷଭଙ୍କ ଦରମା ମଧ୍ୟ ବୃଦ୍ଧି ହୋଇପାରେ । ବର୍ତ୍ତମାନ ଋଷଭଙ୍କୁ ପ୍ରତ୍ୟେକ ସିଜନରେ ୧୬ କୋଟି ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଏହି ଦରମା ଆଗକୁ ବୃଦ୍ଧି ହୋଇପାରେ । କାରଣ ବିସିସିଆଇ ମଧ୍ୟ ମେଗା ଅକ୍ସନରେ ଫ୍ରାଞ୍ଚାଇଜି ମାନଙ୍କ ଅକ୍ସନ ପର୍ସ ୯୫ କୋଟି ଟଙ୍କାକୁ ବୃଦ୍ଧି କରିପାରେ । ଯାହାର ପ୍ରଭାବ ଖେଳାଳିଙ୍କ ରିଟେନସନ୍ ଉପରେ ମଧ୍ୟ ଦେଖିବାକୁ ମିଳିପାରେ ।