ଏଥର କିଏ ଜିତିବ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍
ଆଜିଠୁ ଆରମ୍ଭ ହେବାକୁ ଯାଉଛି ମହିଳା ବିଶ୍ବକପ୍ । ବାଂଲାଦେଶରୁ ସ୍ଥାନାନ୍ତରିତ ହୋଇ ୟୁଏଇରେ ଖେଳାଯାଉଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ର ନବମ ସଂସ୍କରଣ ପାଇଁ ଖେଳାଳି, ପଡ଼ିଆ ପ୍ରସ୍ତୁତ । ଏଥର ଅଷ୍ଟ୍ରେଲିଆ ଜିତିବ କି ଭାରତ ଜିତିବ ତାହା କହିବା କଷ୍ଟ । ଗ୍ରୁପ୍ ଓ ନକ୍ଆଉଟ୍ ପଦ୍ଧତିରେ ଖେଳାଯିବାକୁ ଥିବା ଏହି ୧୦ ଦଳିଆ ବିଶ୍ବ ଲଢ଼େଇର ପ୍ରଥମ ମ୍ୟାଚ୍ରେ ଆଜି ଦୁଇ ଏସୀୟ ରାଷ୍ଟ୍ର ପାକିସ୍ତାନ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ। ଅନ୍ୟତମ ଟ୍ରଫି ଦାବିଦାର ଭାରତ ତାର ଅଭିଯାନ ଶୁକ୍ରବାରଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ କରିବ। ଏହି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ସଂଧ୍ୟା ୬ଟାରୁ ଖେଳାଯିବ।ଭାରତୀୟ ଦଳ ତାର ଦ୍ବିତୀୟ ମ୍ୟାଚ୍ରେ ୬ ତାରିଖ ଦିନ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ, ୯ ତାରିଖରେ ଶ୍ରୀଲଙ୍କା ଏବଂ ୧୩ ତାରିଖରେ ଅଷ୍ଟ୍ରେଲିଆକୁ ଭେଟି ଲିଗ୍ ପର୍ଯ୍ୟାୟ ଶେଷ କରିବ। ଚଳିତ ଅକ୍ଟୋବର ୨୦ ତାରିଖରେ ଫାଇନାଲ୍ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତ ଗ୍ରୁପ୍-‘ଏ’ରେ ସ୍ଥାନ ପାଇଥିଲା ବେଳେ ଏହି ଗ୍ରୁପ୍ରେ ନ୍ୟୁଜିଲାଣ୍ଡ ସହ ଶକ୍ତିଶାଳୀ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି । ଭାରତ ପକ୍ଷରୁ ଟିମ୍ ଘୋଷଣା ହୋଇଛି । ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ଦୀପ୍ତି ଶର୍ମା, ଜେମିମା ରଡ୍ରିଗ୍ବେଜ୍, ରିଚା ଘୋଷ, ୟାସିକା ଭାଟିଆ, ପୂଜା ବସ୍ତ୍ରକାର, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ, ଡାୟାଲନ୍ ହେମଲତା, ଆଶା ଶୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ସଂଜନା ସଂଜୀବନ ଟିମରେ ସ୍ଥାନ ପାଇଛନ୍ତି ।