ପ୍ରଥମ ଟେଷ୍ଟ୍‌ ଆଜିଠୁ

ଯଶସ୍ବୀ ଜୟସ୍ବାଲ୍‌ ପଦାର୍ପଣ କରିବା ସମ୍ଭାବନା

ଡୋମିନିକା: ଆଜିଠୁ ‌ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯିବାକୁ ଥିବା  ପ୍ରଥମ ଟେଷ୍ଟ୍‌ ଡୋମିନିକାର ରୋସିୟୁରେ ଆରମ୍ଭ ହେବ। ଏହି ଟେଷ୍ଟ ଜରିଆରେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ୍‌ ପଦାର୍ପଣ କରିବା ସମ୍ଭାବନା ଅଧିକ ରହିଛି। ଅନ୍ୟପକ୍ଷ‌ରେ ଦିନିକିଆ ବିଶ୍ବକପ୍‌ ଯୋଗ୍ୟତା ଅର୍ଜନରୁ ନିରାଶ କରିବା ପରେ ୱେଷ୍ଟଇଣ୍ଡିଜ୍‌କୁ ବିଶ୍ବ କ୍ରିକେଟ୍‌ରେ ନିଜର ଅସ୍ତିତ୍ବ ଜାହିର ପାଇଁ ଏହା ପ୍ରଥମ ସୁଯୋଗ। ଚେତେଶ୍ବର ପୂଜାରା ଟେଷ୍ଟ ଦଳରୁ ବାଦ୍‌ ପଡ଼ିବା ପରେ ତାଙ୍କ ସ୍ଥାନ ଖାଲି ପଡ଼ିଛି। ତେଣୁ ଏହି ସ୍ଥାନ ଭରଣା ପାଇଁ କିଏ ଉପଯୁକ୍ତ ହେବ ତାହା ଉପରେ ନଜର ରହିବ। ଅଭ୍ୟାସ ମ୍ୟାଚ୍‌ର ପ୍ରଦର୍ଶନକୁ ଦେଖିଲେ ଜୟସ୍ବାଲ୍‌ଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ମିଳିବା ସମ୍ଭାବନା ଅଧିକ ରହିଛି। ଏପରି ସ୍ଥଳେ ଶୁବମନ ଗିଲ୍‌ଙ୍କୁ ତୃତୀୟ ସ୍ଥାନ କିମ୍ବା ମଧ୍ୟକ୍ରମରେ ବ୍ୟାଟିଂ ମିଳିପାରେ।  ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲିଂ କ୍ରମ ସାମାନ୍ୟ ଦୁର୍ବଳ ଜଣାପଡୁଛି।   ଉମେଶ ଯାଦବ ହାର୍ମଷ୍ଟ୍ରିଙ୍ଗ୍‌ ଆଘାତରୁ ମୁକୁଳିଥିବାରୁ ଲୟକୁ ଫେରିବାରେ ସମସ୍ୟା ଦେଖାଦେଇପାରେ। ତେଣୁ ସବୁ ଚାପ ଏବେ ବୋଲିଂ କ୍ରମର ନେତୃତ୍ବ ନେଉଥିବା ମହମ୍ମଦ ସିରାଜଙ୍କ ଉପରେ ରହିବ।