ଦକ୍ଷିଣ ଆଫ୍ରିକାଠୁ ୧୪୯ ରନ୍‌ରେ ବାଂଲାଦେଶ ପରାସ୍ତ

ମୁମ୍ବାଇ:  ଦିନିକିଆ ବିଶ୍ବକପ୍‌ର ୨୩ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠୁ ୧୪୯ ରନ୍‌ରେ ବାଂଲାଦେଶ ପରାସ୍ତ ହୋଇଛି ।  ୩୮୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ବାଂଲାଦେଶ ୨୩୩ ରନ୍‌ରେ ଅଲ୍‌ଆଉଟ ହୋଇଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ  ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ମହମ୍ମଦୁଲ୍ଲା ଏକମାତ୍ର ବ୍ୟାଟର ଯିଏକି ଦଳ ପାଇଁ ବ୍ୟକ୍ତିଗତ ଭାବେ ଶତକ ହାସଲ କରିଥିଲେ। ସେ ୧୧୧ଟି ବଲ୍‌ ଖେଲି ୧୧ଟି ଚୌକା ଓ ୪ଟି ଛକା ମାରି ସ୍କୋର ୧୧୧ ରନ୍‌ କରିଥିଲେ। ସ୍କୋର ୪୨ ରନ୍‌ ବେଳକୁ ବାଂଲାଦେଶର ଆଗଧାଡ଼ିର ୪ ଜଣ ଖେଳାଳି ଆଉଟ୍‌ ହୋଇସାରିଥିଲେ। ପ୍ରାରମ୍ଭିକ ବ୍ୟାଟର ତନଜିତ୍‌ ହାସନ ୧୭ଟି ବଲ୍‌ ଖେଳି ଗୋଟିଏ ଚୌକା ବଳରେ ୧୨ ରନ୍‌ ସଂଗ୍ରହ କରିଥିଲେ। ଲିଟନ୍‌ ଦାସ ବ୍ୟକ୍ତିଗତ ଭାବେ ୨୨ ରନ୍‌ ଯୋଡ଼ିଥିଲେ। ସେ ୩ଟି ଚୌକା ସହିତ ଗୋଟିଏ ଛକା ମାରିଥିଲେ। ନଜମୁଲ ହୁସେନ୍‌ ସାଣ୍ଟୋ ଖାତା ଖୋଲିପାରି ନଥିବା ବେଳେ ସାକିବ୍‌ ଅଲ୍‌ ହାସନ୍‌ ୧ ରନ୍‌ ଓ ମୁସ୍‌ଫିକ୍ୟୁର ରହିମ୍‌ ୮ ରନ୍‌ ସଂଗ୍ରହ କରିପାରିଥିଲେ। ମେହେନ୍ଦୀ ହାସନ ୧୧ ରନ୍‌, ନୁସମ ଅହମଦ ୧୯ ରନ୍‌, ହାସନ ମହମ୍ମଦ ୧୫ ରନ୍‌ ସଂଗ୍ରହ କରିଥିଲେ। ପ୍ରଥମ ପାଳିରେ   ଡି’କକ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୧୫ଟି ଚୌକା ଓ ୭ଟି ଛକା ମାରିଥିଲେ। ସେ ୧୪୦ଟି ବଲ୍‌ ଖେଳି ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୭୪ ରନ୍‌ କରିଥିଲେ। ପୂର୍ବରୁ ଦଳୀୟ ସ୍କୋର ୩୩ ରନ୍‌ ଥିବା ବେଳେ ହେଣ୍ଡରିକ୍‌ ୧୨ରନ୍‌ ଆଉଟ୍‌ ହୋଇଥିଲେ। ରାଶି ଭନ୍‌ ଡେର ଦ‌ସେନ  ୭ଟି ବଲ୍‌ ଖେଳି ମାତ୍ର ୧ ରନ୍‌ ସଂଗ୍ରହ କରି ପାଭଲିଅନକୁ ଫେରି ଯାଇଥିଲେ। ତୃତୀୟ ୱିକେଟ୍‌ ପାଇଁ କ୍ବିଣ୍ଟନ୍‌ ଡି’ କକ୍‌ ଓ ଅଧିନାୟକ ଐଦେନ ମାରକ୍ରମ‌ ୧୩୧ ରନ୍‌ର ଭାଗିଦାରୀ କରିଥିଲେ। ମାରକ୍ରମ‌ ୬୯ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୬୦ ରନ୍‌ ସଂଗ୍ରହ କରିଥିଲେ।  ହେନରିକ କ୍ଲାସେଁଙ୍କ  ୧୮୩ ଷ୍ଟ୍ରାଇକ୍‌ ରେଟ୍‌ରେ ୯୦ ରନ୍‌ ସଂଗ୍ରହ କରିଥିଲେ। ୪୯ଟି ବଲ୍‌ ଖେଳି ୨ଟି ଚୌକା ଓ ୮ଟି ଛକା ମାରିଥିଲେ। ସେହିପରି ଡେଭିଡ ମିଲର ୧୨ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ୩ଟି ଛକା ମାରିଥିଲେ। ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ପ୍ରଥମରେ ଭାରତ ଥିବା ବେଳେ ତୃତୀୟ ଓ ଚତୁର୍ଥରେ ଯଥାକ୍ରମେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଅଛନ୍ତି।