ହାଇଦ୍ରାବାଦର ବଡ଼ ବିଜୟ
ଶକ୍ତିଶଳୀ ବ୍ୟାଟିଂ ବାହିନୀରେ ବଳିୟାନ ସନ୍ରାଇଜର୍ସ ହାଇଦ୍ରାବାଦ ଅଭିଯାନ ଆରମ୍ଭରୁ ତା’ର ମହାବିସ୍ଫୋରକ ରୂପ ଦେଖାଇଛି। ନୂଆ ନିଯୁକ୍ତି ଈଶାନ କିଶନ (୧୦୬* ରନ୍, ୪୭ ବଲ୍, ୧୧ ଚୌକା, ୬ ଛକା)ଙ୍କ ଧମାକାଦାର ଶତକରେ ଆଇପିଏଲ୍ ଇତିହାସର ଦ୍ବିତୀୟ ସର୍ବୋଚ୍ଚ ଦଳଗତ ସ୍କୋର୍ କରିବା ସହ ରାଜସ୍ଥାନ ରୟାଲ୍ସକୁ ୪୪ ରନ୍ରେ ହରାଇ ଦେଇଛି। ଈଶାନ ବ୍ୟକ୍ତିଗତ ଭାବେ ନିଜ ପ୍ରଥମ ଆଇପିଏଲ୍ ଶତକ ହାସଲ କରିଛନ୍ତି। ସେହିଭଳି ଗତବର୍ଷର ଫ୍ଲେ ଅଫ୍ରେ ରାଜସ୍ଥାନକୁ ହରାଇଥିବା ସନ୍ରାଇଜର୍ସ ଏହି ଦଳ ବିପକ୍ଷରେ ଲଗାତାର ବିଜୟ ହାସଲ କରିବାର ମିଠାମିଠା ସ୍ବାଦ ଚାଖିଛି। ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଥିବା ରାଜସ୍ଥାନ କିନ୍ତୁ ବଡ଼ ଲକ୍ଷ୍ୟ ତଳେ ଦବି ଯାଇଛି। ଇମ୍ପାକ୍ଟ ପ୍ଲେୟାର ସଞ୍ଜୁ ସାମସନ୍ ଏବଂ ୱିକେଟ୍ ରକ୍ଷକ ଧ୍ରୁବ ଜୁରେଲଙ୍କ ଲଢ଼ୁ୍ଆ ବ୍ୟାଟିଂରେ କିଛିଟା ଲଢ଼େଇ କରିଥିଲେ ମଧ୍ୟ ବିଶାଳ ବିଜୟ ଲକ୍ଷ୍ୟ ଆଗରେ ଶେଷକୁ ହାରମାନି ନିଜର ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଛି। ରବିବାର ହାଇଦ୍ରାବାଦ ୨୮୭ ରନ୍ର ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲା। ପ୍ରତିପକ୍ଷ ରାଜସ୍ଥାନ କିନ୍ତୁ ୨୪୨/୬ରେ ଅଟକି ଯାଇଛି। ପୁଣି ଏହି ଦଳର ଇଂଲିସ୍ ବୋଲର ଜୋଫ୍ରା ଆର୍ଚର ମାତ୍ର ୪ ଓଭରରେ ୭୬ ରନ୍ ବ୍ୟୟ କରି ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ବୋଲର୍ ହେବାର ଆଲୋଡ଼ା ରେକର୍ଡ କରିଛନ୍ତି। ଯାହା ରାଜସ୍ଥାନ ପାଇଁ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି। ଈଶାନ କିନ୍ତୁ ହାଇଦ୍ରାବାଦରୁ ଖେଳିଥିବା ନିଜ ପ୍ରଥମ ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତି ନେଇଛନ୍ତି।