ବିଶ୍ବକପରେ ଭାରତର ଚତୁର୍ଥ ବିଜୟ:ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଲା
ପୁନେ: ବିଶ୍ବକପରେ ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଲା ଭାରତ । କୋହଲିଙ୍କ ଅପରାଜିତ ଶତକ, ରୋହିତ ଶର୍ମା ୪୮ରନ ଓ ଶୁଭମନ ଗିଲ ୫୩ ରନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ବାଂଲାଦେଶ ଦ୍ବାରା ରଖାଯାଇଥିବା ୨୫୭ ରନର ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା । ବିରାଟ କୋହଲି ୪୧.୩ ତମ ଓଭରରେ ଛକା ମାରି ନିଜର ୪୮ ତମ ଶତକ ପୂରଣ କରିବା ସହ ଦଳ ପାଇଁ ବିଜୟ ଆଣିଦେଇଥିଲେ । ପୁଣେରେ ଅନୁଷ୍ଠିତ ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ବାଂଲାଦେଶର ଦୁଇ ଓପନର ତାନଜିଦ ହାସନ ଓ ଲିଟନ ଦାସ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ଭଲ ମୂଳଦୂଆ ପକାଇଥିଲେ । ହାସନ ୫୧ ରନ ଓ ଲିଟନ ୬୬ ରନ କରିଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ବିଫଳ ହୋଇଥିଲା । ଭାରତୀୟ ବୋଲରମାନେ ଭଲ ବୋଲିଂ କରି ପୁଣି ଥରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ନିମ୍ନ ମଧ୍ୟକ୍ରମ ମଧ୍ୟରୁ ମୁସ୍ତାଫିକୁର ରହିମ ଓ ମହମ୍ମଦୁଲ୍ଲା ଲଢୁଆ ବ୍ୟାଟିଂ ଫଳରେ ବାଂଲାଦେଶ ଏକ ଲଢୁଆ ସ୍କୋର ଛିଡ଼ା କରିବାରେ ସକ୍ଷମ ହୋଇଥିଲା । ରହିମ ୩୮ ରନ ଓ ମହମ୍ମଦୁଲ୍ଲୀ ୪୬ ରନ କରିଥିଲେ । ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୫୬ ରନ କରିଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।