ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ମହିଳା ଦଳର ବଡ଼ ବିଜୟ

ହରମନପ୍ରୀତ କୌର ଅପରାଜିତ ୫୮ ରନ୍

ଢାକା: ଭାରତୀୟ ମହିଳା କ୍ରିକେଟ ଟିମ୍  ପ୍ରଥମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ୭ ୱିକେଟରେ ବଡ଼ ବିଜୟ ହାସଲ କରିଛି ।  ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୧୧୪ ରନରେ ସୀମିତ ରହିଥିଲା । ସେହିପରି ଭାରତୀୟ ଦଳ ୧୬.୨ ଓଭରରେ ସହଜରେ ୩ ୱିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା ।

ଭାରତ ପାଇଁ ଅଧିନାୟକ ହରମନପ୍ରୀତ କୌର ଅପରାଜିତ ୫୮ ରନ୍ ଏବଂ ଓପନର ସ୍ମୃତି ମନ୍ଧାନା (୩୮ ରନ୍) ଚମତ୍କାର ବ୍ୟାଟିଂ କରିଥିଲେ । ଭାରତର ଦୁଇଟି ୱିକେଟ୍ ୨୧ରନରେ ପଡ଼ିଯାଇଥିଲା । ଏହାପରେ ହରମନପ୍ରୀତ ଏବଂ ସ୍ମୃତି ମନ୍ଧାନା ସ୍ଥିତି ସମ୍ଭାଳିଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୭୦ ରନର ଭଲ ପାର୍ଟନରସିପ୍ କରିଥିଲେ । ମନ୍ଧାନାଙ୍କୁ ୧୪ତମ ଓଭରରେ ସୁଲତାନା ଷ୍ଟମ୍ପ ଆଉଟ୍ କରିଥିଲେ । ସେ ୩୪ ଟି ବଲରେ ୫ ଚୌକା ଜରିଆରେ ୩୮ ରନର ଇନିଂସ ଖେଳିଥିଲେ । ଏହାପରେ ହରମନପ୍ରୀତ ଏବଂ ୟାସ୍ତିକା ଭାଟିୟା ଦଳକୁ ଜିତାଇ ଫେରିଥିଲେ ।