ଫାଇନାଲ୍‌ରେ ଦକ୍ଷିଣ କୋରିଆକୁ ୪-୧ରେ ହରାଇଲା ଭାରତ

ଭାରତକୁ ଏସିଆ କପ୍‌ ମୁକୁଟ

 

ଭାରତୀୟ ହକି ଦଳ ଫାଇନାଲରେ ସାଉଥ କୋରିଆକୁ ପରାସ୍ତ କରିଛି ।  ଆସନ୍ତାବର୍ଷର ଏଫ‌୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍‌ ଟିକେଟ୍ ଅର୍ଜନ କରିନେଇଛି। ରବିବାର ରାତିରେ ଖେଳାଯାଇଥିବା ଫାଇନାଲ୍‌ରେ ଅପ୍ରତିଦ୍ବନ୍ଦ୍ବୀ ଭାରତ ୪-୧ ଗୋଲ୍‌ରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ପରାସ୍ତ କରି ଚତୁର୍ଥ ଥର ପାଇଁ ଏହି ମହାଦେଶୀୟ ମୁକୁଟ ଅର୍ଜନ କରିଛି।

ହର୍ମନପ୍ରୀତ୍ ସିଂହଙ୍କ ଦଳ ୮ ବର୍ଷ ପରେ ଭାରତକୁ ପୁଣି ଏସିଆ କପ୍‌ ବିଜୟର ସଫଳତା ଦେଇଛି। ଅନ୍ୟପକ୍ଷରେ ଷଷ୍ଠ ଥର ପାଇଁ ଏସିଆ କପ୍‌ ଜିତିବା ଲକ୍ଷ୍ୟରେ ଥିବା ଦକ୍ଷିଣ କୋରିଆର ସ୍ନପ୍ନକୁ ଭାରତ ଚୂରମାର୍ କରି ଦେଇଛି। ଘରୋଇ ଭାରତ ମଧ୍ୟ ସମ୍ପୂର୍ଣ୍ଣ ପ୍ରତିଯୋଗିତାରେ ପ୍ରାଧାନ୍ୟ ବିସ୍ତାର କରି ଅପରାଜେୟ ଭାବେ ବିଜେତା ହୋଇଛି। ୭ ମ୍ୟାଚ୍‌ରୁ ୬ ଜିତିଥିବା ବେଳେ ଏକମାତ୍ର ଡ୍ର’(୨-୨) ସେହି ଦକ୍ଷିଣ କୋରିଆ ବିପକ୍ଷ ସୁପର୍‌-୪ ମ୍ୟାଚ୍‌ରୁ ମିଳିଥିଲା।

 

ଭାରତୀୟ ଦଳ ପ୍ରଥମ ମିନିଟ୍‌ ଭିତରେ ମାତ୍ର ୩୧ ସେକେଣ୍ଡ ଏହି ସୁନ୍ଦର ଫିଲ୍ଡ ଗୋଲ୍‌ଟି ଦେଇଥିଲେ ସୁଖଜିତ୍ ସିଂହ। ଭାରତ ପାଇଁ ବି ଏହା ଥିଲା ସବୁଠାରୁ ଦ୍ରୁତତମ। ଦ୍ବିତୀୟ କ୍ବାର୍ଟରରେ ଦିଲପ୍ରୀତ୍‌ ସିଂହ (୨୮ ମିନିଟ୍‌)ଙ୍କ ଗୋଲ୍ ଭାରତକୁ ୨-୦ରେ ଆଗୁଆ କରି ଦେଇଥିଲା। ସଂଜୟଙ୍କଠାରୁ ପାଇଥିବା ଫିଡ୍‌ରୁ ଫିକା ହେବାକୁ ‌ଦେଇ ନଥିଲେ ଦିଲପ୍ରୀତ୍‌।

ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୦ରେ ଆଗୁଆ ହୋଇ ଟ୍ରଫିରେ ଗୋଟିଏ ହାତ ରଖି ଦେଇଥିଲା। ତୃତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟ ବିତିବାକୁ ଯାଉଥିବା ବେଳେ ଅଧିନାୟକ ହର୍ମନପ୍ରୀତ୍ ସିଂହଙ୍କ ଅଗ୍ନେୟ ହିଟ୍‌ ସର୍କଲ ଭିତରେ ପହଞ୍ଚିବା ପରେ ଦିଲପ୍ରୀତ୍‌ (୪୫ ମିନିଟ୍‌) ଏହାକୁ କୋରିଆ ଗୋଲ୍‌ ପୋଷ୍ଟକୁ ପଠାଇ ଦେଇଥିଲେ।

ଚତୁର୍ଥ କ୍ବାର୍ଟରରେ ଓଡ଼ିଆ ପୁଅ ଅମିତ ରୋହିଦାସ (୫୦ ମିନିଟ୍‌) ପେନାଲ୍ଟି କର୍ଣ୍ଣରରୁ ମାରିଥିବା ହିଟ୍‌ ଗୋଲିଙ୍କ ବାମ କର୍ଣ୍ଣରକୁ ପ୍ରବେଶ କରିବା ପୂର୍ବରୁ ଅନ୍ୟୁନ ୩/୪ ଜଣ କୋରିଆ ଡିଫେଣ୍ଡରଙ୍କୁ ଚକ୍‌ମା ଦେଇଥିଲା। କୋରିଆ ପାଇଁ ଶେଷକୁ ଏକମାତ୍ର ସାନ୍ତ୍ବନାମୂଳକ ଗୋଲଟି ପେନାଲ୍ଟି କର୍ଣ୍ଣରରୁ ଦେଇଥିଲେ ଡାଏନ୍‌ ସନ୍ (୫୧ ମିନିଟ୍‌)। ସୁଖଜିତ୍ ଫାଇନାଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଫାଇନାଲ୍‌ ପୂର୍ବରୁ କାଂସ୍ୟ ପଦକ ପାଇଁ ହୋଇଥିବା ମୁକାବିଲାରେ ମଧ୍ୟ ମାଲେସିଆ ୪-୧ ଗୋଲ୍‌ରେ ଚୀନ୍‌କୁ ହରାଇ ଦେଇଥିଲା।

Leave a comment