ଆଜି ଅନ୍ତିମ ଲିଗ୍ରେ ଭାରତ- ନେଦରଲାଣ୍ଡ୍ସ
ବେଙ୍ଗାଲୁରୁ: ଭାରତୀୟ ଦଳ ଅନ୍ତିମ ଲିଗ୍ ମ୍ୟାଚ୍କୁ ହାଲକା ଭାବେ ନେବ ନାହିଁ। ଐତିହ୍ୟ ସମ୍ପନ୍ନ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ରବିବାର ଭାରତ ଖେଳିବ ୟୁରୋପର ନୂଆ ଉଦୀୟମାନ କ୍ରିକେଟ୍ ଶକ୍ତି ନେଦରଲାଣ୍ଡ୍ସ ସହିତ। ‘‘ଆମେ ଗୋଟିଏ ସମୟରେ ଗୋଟିଏ ମ୍ୟାଚ୍ କଥା ଚିନ୍ତା କରୁଛୁ। ଏବେଠାରୁ ସେମିଫାଇନାଲ୍ କଥା ଭାବୁ ନାହୁଁ। ପୂର୍ବ ମ୍ୟାଚ୍ ପରଠାରୁ ୬ ଦିନର ବିଶ୍ରାମ ମିଳିଥିବାରୁ ଖେଳାଳିଙ୍କୁ ବି ଅଧିକ ବିଶ୍ରାମର ଆବଶ୍ୟକତା ନାହିଁ। ଲୟକୁ ଜାରି ରଖି ସେମିଫାଇନାଲ୍ ଓ ସମ୍ଭାବ୍ୟ ଫାଇନାଲ୍ ଖେଳିବାକୁ ଆମେ ପ୍ରସ୍ତୁତ ହେଉଛୁ’’ ବୋଲି ଭାରତୀୟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ମ୍ୟାଚ୍ ପୂର୍ବଦିନ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରି ଦେଇଛନ୍ତି। ଚୂଡାନ୍ତ ଏକାଦଶରେ ମଧ୍ୟ ଅଦଳବଦଳ ହେବ ନାହିଁ ବୋଲି ଆଭାସ ଦେଇଛନ୍ତି।