ରାୟପୁର: ଏଠାରେ ଖେଳାଯାଇଥିବା ଘରୋଇ ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆକୁ ୪ ଓ୍ବିକେଟରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା। ଫଳରେ ଏହି ୩ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳା ୧-୧ ସ୍ତରକୁ ଆସିବା ସହ ଜୀବନ୍ତ ରହିଛି। ୩୫୯ ରନ୍ର ସ୍କୋର୍କୁ ପିଛା କରୁଥିବା ଭ୍ରମଣକାରୀ ଦଳ ୨୬ ରନ୍ରେ କ୍ବିଣ୍ଟନ ଡି’କକ୍ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଐଦେନ ମାର୍କରାମ ଓ ଅଧିନାୟକ ତେମ୍ବା ବଭୁମା (୪୬) ଶତକୀୟ ଭାଗୀଦାର ଗଢ଼ି ସ୍ଥିତି ସମ୍ଭାଳି ନେଇଥିଲେ। ବଭୁମା (୪୬) ଅର୍ଦ୍ଧଶତକ ପୂର୍ବରୁ ଏବଂ ମାର୍କରାମ (୧୧୦) ଶତକ ପରେ ଆଉଟ୍ ହୋଇଥିଲେ। ଏମାନଙ୍କ ପରେ ମାଥ୍ୟୁ ବ୍ରିଜ୍କେ ଓ ଡେୱାଲ୍ଡ ବ୍ରେଭିସ୍ ନିଜ ନିଜ ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳକୁ ବିଜୟ ନିକଟତର କରିଥିଲେ। ଶେଷରେ କର୍ବିନ ବଚ୍ ୧୫ ବଲ୍ରୁ ୨୯* ରନ୍ କରି ଦଳକୁ ବିଜୟୀ କରାଇଥିଲେ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳ ଏକ ବଡ଼ ସ୍କୋର ଛିଡ଼ା କରି ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଏକ ବିଶାଳ ଟାର୍ଗେଟ୍ ରଖିଛି। ବିରାଟ କୋହଲି ଏବଂ ଯୁବ ଓପନର୍ ରୁତୁରାଜ ଗାଏକୱାଡଙ୍କ ଦମଦାର ଶତକ ବଳରେ ଭାରତ ଧାର୍ଯ୍ୟ ୫୦ ଓଭରରେ ଏକ ବୃହତ୍ ସ୍କୋର କରିବାରେ ସଫଳ ହୋଇଛି।
ଟସ୍ ହାରି ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ରୋହିତ ଓ ଜୟସ୍ଵାଲ ୪୦ ରନ ଯୋଡ଼ିଥିଲେ। ରୋହିତ ୮ ବଲରୁ ୧୪ ରନ କରିଥିଲେ । ଯଶସ୍ଵୀ ଜୟସ୍ଵାଲ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ। ସେ ୨୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବିରାଟ କୋହଲି ଓ ଋତୁରାଜ ଗାଏକ୍ଵାଡ଼ ଇନିଂସ ସମ୍ଭାଳିଥିଲେ। ଆଜି ଋତୁରାଜ ଗାଏକ୍ଵାଡ଼ ଭଲ ଫର୍ମରେ ନଜର ଆସିଥିଲେ। ଦୁଇ ବ୍ୟାଟର ବିପକ୍ଷ ବୋଲରଙ୍କ ପ୍ରହାର କରି ନିଜର ଶତକ ପୂରଣ କରିଥିଲେ। ଗାଏକ୍ଵାଡ଼ ପ୍ରଥମ ଦିନିକିଆ ହାସଲ କରିଥିବା ବେଳେ କୋହଲି ସିରିଜରେ ଲଗାତାର ଦ୍ଵିତୀୟ ଶତକ ହାସଲ କରିଛନ୍ତି। କୋହଲିଙ୍କ ଏହା ୫୩ତମ ଦିନିକିଆ ଶତକ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟରେ ୧୯୫ ରନ ଯୋଡ଼ି ଦଳର ସ୍କୋରକୁ ୨୫୭ ସ୍କୋରରେ ପହଞ୍ଚାଇଥିଲେ। ତେବେ ଶତକ ହାସଲ କରିବା ପରେ ପରେ ଦୁଇ ବ୍ୟାଟର ଅଳ୍ପ ବ୍ୟବଧାନରେ ଆଉଟ୍ ହୋଇଥିଲେ।
ଗାଏକ୍ଵାଡ଼ ୮୩ ବଲରୁ ୧୨ ଚୌକା ଓ ୨ ଛକା ସହ ୧୦୫ ରନ କରିଥିଲେ। କୋହଲି ୯୩ ବଲରୁ ୭ ଚୌକା ଓ ୨ ଛକା ସହ ୧୦୨ ରନ କରିଥିଲେ। ଏହା ପରେ କେଏଲ ରାହୁଲ ପୁଣି ଥରେ ଅଧିନାୟକତ୍ଵ ଇନିଂସ ଖେଳିଛନ୍ତି। କ୍ରମାଗତ ଅର୍ଦ୍ଧଶତକ ହାସଲ କରି ୪୩ ବଲରୁ ୬ ଚୌକା ଓ ୨ ଛକା ସହ ୬୬ ରନର ଅପରାଜିତ ଇନିଂସ ଖେଳିଛନ୍ତି। ରବୀନ୍ଦ୍ର ଜାଡ଼େଜା ୨୪ ରନ କରିଥିଲେ। ଭାରତ ୫ ଓ୍ଵିକେଟ୍ ହରାଇ ୩୫୮ ରନ କରିଛି।