ସିରାଜଙ୍କ ତୋଫାନୀ ବୋଲିଂକୁ ଚାରିଆଡୁ ପ୍ରଶଂସା

କଲମ୍ବୋ: ଗତକାଲି ମ୍ୟାଚରେ ଯାଦୁ ଦେଖାଇଥିବା ମହମ୍ମଦ ସିରାଜଙ୍କୁ ଚାରିଆଡୁ ପ୍ରଶଂସା ମିଳୁଛି । କ୍ରିକେଟ ଫ୍ୟାନସମାନେ ତାଙ୍କୁ ହିରୋ ବନାଇଛନ୍ତି ।  ଗୋଟିଏ ଓଭରରେ ୪ ୱିକେଟ୍ ସଫଳତା ସହିତ ମହମ୍ମଦ ସିରାଜଙ୍କ ତୋଫାନୀ‌ ବୋଲିଂ (୭-୧-୨୧-୬) ବଳରେ ଭାରତ ଅଷ୍ଟମ ଥର ଏସିଆ କପ୍‌ର ବିଜେତା ହୋଇ ଅନେକ ରେକର୍ଡ କରିଛି ।  ଘରୋଇ ଶ୍ରୀଲଙ୍କାକୁ ଏକତରଫା ଭାବେ ଫାଇନାଲ୍‌ରେ ୧୦ ୱିକେଟ୍‌ରେ ପରାସ୍ତ କରି ଭାରତ ଏହି ସଫଳତା ପାଇଛି। ଉଭୟ ଦଳ ମାତ୍ର ୨୧.୩ ଓଭର ଖେଳିବା ଏହି ମ୍ୟାଚ୍‌ର ରୋମାଞ୍ଚକୁ ଲୁଟି ନେଇଥିଲା। ଶ୍ରୀଲଙ୍କା ମାତ୍ର ୧୫.୨ ଖେଳିଥିବା ବେଳେ ଭାରତ ୬.୧ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କାକୁ ମାତ୍ର ୫୦ ରନ୍‌ରେ ରୋକି ଦେଇ ଭାରତ ରବିବାରର ଫାଇନାଲ୍‌କୁ ଅତି ସହଜରେ ଜିତିବା ସହ ବିଶ୍ବକପ୍‌ ପୂର୍ବରୁ ମନସ୍ତାତ୍ତ୍ବିକ ବିଜୟ ମଧ୍ୟ ଅର୍ଜନ କରିଛି। ସିରାଜଙ୍କ ବୋଲିଂ ବିସ୍ଫୋରଣ ସହିତ ଯଶପ୍ରୀତ୍ ବୁମରା ଓ ହାର୍ଦିକ ପାଣ୍ଡ୍ୟା ମଧ୍ୟ ବୋଲିଂରେ ଅବଦାନ ରଖିଥିଲେ। କିଶନ ୧୮ ବଲ୍‌ରୁ ୨୩ରନ ଏବଂ ଗିଲ୍‌ ୧୯ ବଲ୍‌ରୁ ୨୭ ରନ୍‌ ସଂଗ୍ରହ କରି ଭାରତକୁ ୨୬୩ ବଲ୍‌ ପୂର୍ବରୁ ବିଜୟ ଦେଇଥିଲେ।