ଶ୍ରୀଲଙ୍କା କୁ ଘାଇଲା କଲା ଭାରତୀୟ ବୋଲର

ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଶ୍ରୀଲଙ୍କା ଗସ୍ତରେ ଭାରତୀୟ ବୋଲର ପୁଣି ଥରେ ଚମକିଛନ୍ତି।ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂରେ ଘାଇଲା ହୋଇ ଏକଦା ଦୃଢ଼ ସ୍ଥିତିରେ ଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ କେବଳ ୧୬୧ ରନ୍ କରିଛି। ଅଳ୍ପକେ ହ୍ୟାଟ୍ରିକ୍‌ରୁ ବଞ୍ଚିତ ହୋଇଥିବା ସ୍ପିନର୍‌ ରବି ବିଷ୍ଣୋଇଙ୍କ ସହ ଅର୍ଶଦୀପ ସିଂହ, ଅକ୍ଷର ପଟେଲ ଓ ହାର୍ଦିକ ପାଣ୍ଡ୍ୟା ଘରୋଇ ବ୍ୟାଟର୍‌ଙ୍କୁ ନିୟମିତ ଭାବେ ଅଡ଼ୁ୍ଆରେ ପକାଇଥିଲେ।ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ନାଟକୀୟ ଭାବେ ଜିତି ନେଇଥିବା ଭାରତ ରବିବାର ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ ସୂର୍ଯ୍ୟକୁମାର ୟାଦବଙ୍କ ନିଷ୍ପତ୍ତିର ସମ୍ମାନ ରଖି ଅର୍ଶଦୀପ ଚତୁର୍ଥ ଓଭର୍‌ର ତୃତୀୟ ବଲ୍‌ରେ ଶ୍ରୀଲଙ୍କାକୁ ପ୍ରଥମ ଝଟ୍‌କା ଦେଇଥିଲେ। ଶ୍ରୀଲଙ୍କା ଅବଶ୍ୟ ପାୱାର ପ୍ଲେରେ ୫୪ ରନ୍ ଯୋଡ଼ି ନେଇଥିଲା। ପରେ କୁଶଲ ପେରେରାଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ୧୨.୧ ଓଭରରେ ୧୦୦ ରନ୍ ପୂରଣ କରିଥିଲା। ଏହା ପରେ କିନ୍ତୁ ଭାରତୀୟ ବୋଲରମାନେ ନିୟମିତ ବ୍ୟବଧାନେ ୱିକେଟ୍ ନେଇ ଶ୍ରୀଲଙ୍କାର ରନ୍ ସଂଗ୍ରହ ହାରକୁ ଯଥେଷ୍ଟ କମାଇ ଦେଇଥିଲେ। ଫଳରେ ଶେଷ ୭.୫ ଓଭରରୁ ଶ୍ରୀଲଙ୍କା ମାତ୍ର ୬୧ ରନ୍ ସଂଗ୍ରହ କରିପାରିଥିଲା।