ରୋହିତ-ବିରାଟଙ୍କ ଦିନିକିଆ ଭବିଷ୍ୟତ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ  ଦ୍ୱାରା ଏକ ଜରୁରୀ ବୈଠକ ଡକାଯାଇଛି। ଖବର ଅନୁଯାୟୀ, ଆସନ୍ତାକାଲି, ଡିସେମ୍ବର ୩, ବୁଧବାର, ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ରାୟପୁରରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବିସିସିଆଇର ଏହି ଜରୁରୀ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତୀୟ କ୍ରିକେଟ୍ ଦଳରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ଆଲୋଚନା କରିବା।

ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ଦୁଇ ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ କମ୍ୟୁନିକେସନ ଗ୍ୟାପ୍ ରହିଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ବୈଠକ ଡକାଯାଇଛି।  ଦଳରେ କେବଳ ଦିନିକିଆ ଖେଳୁଥିବା ଏହି ଦୁଇ ତାରକା ଖେଳାଳିଙ୍କ ଦିନିକିଆ କ୍ରିକେଟ୍ ଭବିଷ୍ୟତ ଉପରେ ଏହି ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇପାରେ। ୨୦୨୬ ଟି-୨୦ ବିଶ୍ୱକପ୍ ଓ ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ଆଖି ଆଗରେ ରଖି ଦଳର ଦୀର୍ଘକାଳୀନ ରଣନୀତି ଉପରେ ମଧ୍ୟ ଆଲୋଚନା ହେବ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନର କାରଣ ଏବଂ ଭବିଷ୍ୟତର ଯୋଜନା ଉପରେ ଆଲୋଚନା କରାଯିବ।

ବୈଠକରେ କିଏ କିଏ ରହିବେ ସାମିଲ?

ରିପୋର୍ଟ ଅନୁଯାୟୀ, ବୈଠକରେ ମୁଖ୍ୟତଃ କ୍ରିକେଟ୍ ପ୍ରଶାସନ ସହ ଜଡ଼ିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ମନୋନୟନ କମିଟି ଅଧ୍ୟକ୍ଷ ଅଜିତ ଆଗରକର,ବରିଷ୍ଠ ବିସିସିଆଇ ଅଧିକାରୀ ଯଥା ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଓ ଯୁଗ୍ମ ସମ୍ପାଦକ ପ୍ରଭତେଜ ସିଂହ ଭାଟିଆ ପ୍ରମୁଖ ସାମିଲ ହେବେ।

ବିରାଟ କୋହଲି ଓ ରୋହିତ ଶର୍ମା କ୍ରମାଗତ ଭାବରେ ଦମଦାର ପ୍ରଦର୍ଶନ କରୁଥିଲେ ମଧ୍ୟ ସେମାନଙ୍କ ଦିନିକିଆ ଭବିଷ୍ୟତ ଉପରେ ଚାଲିଥିବା ଚର୍ଚ୍ଚା ମଧ୍ୟରେ ବିସିସିଆଇର ଏହି ତୁରନ୍ତ ବୈଠକ ଡାକରା କ୍ରିକେଟ୍ ମହଲରେ ଉତ୍କଣ୍ଠା ବଢ଼ାଇଛି।