ଭାରତୀୟ ପୁରୁଷ ହକି ଦଳ ଆଜି ତା’ର ଦ୍ୱିତୀୟ ମୁକାବିଲାରେ ଇଂଲଣ୍ଡକୁ ଭେଟିବ

ସ୍ପେନ ବିରୋଧରେ ଜବରଦସ୍ତ ବିଜୟ ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ପୁରୁଷ ହକି ଦଳ ଆଜି ତା’ର ଦ୍ୱିତୀୟ ମୁକାବିଲାରେ ଇଂଲଣ୍ଡକୁ ଭେଟିବ । ଶୁକ୍ରବାର ପ୍ରଥମ ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରି ସ୍ପେନକୁ ୨-୦ ଗୋଲରେ ହରାଇଥିଲା । କିନ୍ତୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଟିମକୁ କଡ଼ା ଚ୍ୟାଲେଞ୍ଜ ମିଳିପାରେ । କାରଣ ଇଂଲଣ୍ଡ ତା’ର ପ୍ରଥମ ମ୍ୟାଚରେ ୱେଲ୍ସକୁ ଏକତରଫା ଭାବେ ୫-୦ ଗୋଲରେ ହରାଇଥିଲା । ଆଜି ଯେଉଁ ଟିମ୍ ମ୍ୟାଚ୍ ଜିତିବ, ସେହି ଟିମ୍ କ୍ୱାର୍ଟର୍ ଫାଇନାଲ ଟିକେଟ୍ କାଟିବ । ଏଭଳି ସ୍ଥିତିରେ ଆୟୋଜକ ଭାରତ ପାଖରେ କ୍ୱାର୍ଟର୍ ଫାଇନାଲରେ ପହଂଚିବାର ଭଲ ସୁଯୋଗ ରହିଛି । ରାଉରକେଲାର ବିର୍ସା ଷ୍ଟାଡିୟମରେ ପ୍ରାୟ ୨୦ହଜାର ଦର୍ଶକ ଭାରତକୁ ସମର୍ଥନ ଦେବେ । ଏହାର ଫାଇଦା ଉଠାଇ ଭାରତ ଇଂଲଣ୍ଡକୁ ହରାଇବାକୁ ଚାହିଁବ ।