ବୁମରାହଙ୍କ ନେତୃତ୍ବରେ ଭାରତ ଶୃଙ୍ଖଳା ଜିତିଲା

ଡବଲିନ୍: ଅଧିନାୟକ ବୁମରାହଙ୍କ ନେତୃତ୍ବରେ ଆୟର୍ଲାଣ୍ଡ୍‌ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତ ୩୩ ରନ୍‌ରେ ବିଜୟୀ ହୋଇଛି।  ଭାରତ ୩ ମ୍ୟାଚ୍‌ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତି ନେଇଛି। ତୃତୀୟ ମ୍ୟାଚ୍‌ ବୁଧବାର ଖେଳାଯିବ।   ଭାରତ ପ୍ରଥମ ପାୱାର ପ୍ଲେ ଭିତରେ ୪୭ ରନ୍‌ ସଂଗ୍ରହ କରି ନେଇଥିଲା। ଏଥି ସହିତ ଋତୁରାଜ ଗାଏକ୍ବାଡ ଏବଂ ସଂଜୁ ସାମସନ୍‌ ମାତ୍ର ୭.୫ ଓଭରରେ ୭୧ ରନ୍ ଯୋଡ଼ି ବଡ଼ ସ୍କୋର୍‌ ପାଇଁ ପଥ ପରିସ୍କାର କରିଥିଲେ। ସଂଜୁ ୨୬ ବଲ୍‌ରୁ ୪୦ ରନ୍‌ କରି ହ୍ବାଇଟ୍‌ଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। ଏହା ପରେ ପ୍ରଥମ ଥର ଅନ୍ତର୍ଜାତୀୟସ୍ତରରେ ବ୍ୟାଟିଂ କରିଥିବା ରିଙ୍କୁ ସିଂହ ତାଙ୍କ ଚିରାଚରିତ ବ୍ୟାଟିଂ କରି ମାତ୍ର ୨୧ ବଲ୍‌ରୁ ୩୮ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୨‌ ଚୌକା ଓ ୩ ଛକା ସାମିଲ ଥିଲା। ଗାଏକ୍ବାଡ ୪୩ ବଲ୍‌ରୁ ୫୮ ରନ୍‌ ସଂଗ୍ରହ କରି ମ୍ୟାକର୍ଥିଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଶେଷ ଭାଗରେ ଶିବମ ଦୁବେ ଦୁଇଟି ବିଶାଳ ଛକା ସହିତ ୧୬ ବଲ୍‌ରୁ ୨୨* ରନ୍‌ କରି ଭାରତକୁ ୧୮୫ ରନ୍‌ରେ ପହଞ୍ଚାଇଥିଲେ।