ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ଫାଇନାଲ୍‌

କେପ୍‌ ଟାଉନ:   ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ରେ ଇଂଲଣ୍ଡକୁ ୬ ରନ୍‌ରେ ପରାସ୍ତ କରି ଆୟୋଜକ ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛି। ଆୟାବୋଙ୍ଗା ଖାକା (୪-୦-୨୯-୪) ଏବଂ ସବ୍‌ନିମ ଇସ୍‌ମାଇଲ (୪-୦-୨୭-୩) ଚମତ୍କାର ବୋଲିଂ କରି ଦକ୍ଷିଣ ଆଫ୍ରିକା ବିଜୟର କର୍ଣ୍ଣଧାର ସାଜିଥିଲେ। ଅବଶିଷ୍ଟ ୱିକେଟ୍‌ଟି ନାଦିନେ ଡି କ୍ଲେର୍କଙ୍କୁ ମିଳିଥିଲା।  ପ୍ରଥମ ସେମିଫାଇନାଲ୍‌ରେ ଭାରତକୁ ପରାସ୍ତ କରିଥିବା ଗତଥରର ବିଜେତା ଅଷ୍ଟ୍ରେଲିଆକୁ ରବିବାର ଫାଇନାଲ୍‌ରେ ଭେଟିବ ଘରୋଇ ଦଳ। ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ  ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଫାଇନାଲ୍‌ ପହଞ୍ଚିଛି।

ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।  ଦଳ ୧୬୪/୪ରେ ପାଳି ଶେଷ କରିଥିଲା।  ଆରମ୍ଭରୁ ଓଭର ପିଛା ୧୦ରୁ ଅଧିକ ରନ୍‌ ସଂଗ୍ରହ କରି ଇଂଲଣ୍ଡ ପ୍ରଥମ ୱିକେଟ୍‌ରେ ୫ ଓଭରରୁ ୫୩ ରନ୍ ଯୋଡ଼ିବା ପ‌ରେ ଷଷ୍ଠ ଓଭରର ପ୍ରଥମ ବଲ୍‌ରେ ଇସ୍‌ମାଇଲ ଯୋଡ଼ି ଭାଙ୍ଗିଥିଲେ। ଇସ୍‌ମାଇଲ ମଧ୍ୟ ଏହି ଓଭରର ତୃତୀୟ ବଲ୍‌ରେ ଆଲିସେ କାପ୍‌ସେ (୦)ଙ୍କୁ ଆଉଟ୍‌ କରି ଇଂଲଣ୍ଡକୁ ଚାପରେ ପକାଇ ଦେଇଥିଲେ। ଶେଷରେ ଇଂଲଣ୍ଡ ୧୫୮/୮ରେ ଅଟକି ଯାଇଥିଲା। ୬୮ ରନ୍‌ ଏବଂ ୪ କ୍ୟାଚ୍‌ ନେଇଥିବା ବିଜୟୀ ଦଳର କାମିନ ବ୍ରିଟ୍‌ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।