ଓ୍ବେଷ୍ଟଇଣ୍ଡିଜ୍ ୧୬୨ ରନରେ ଅଲଆଉଟ୍, ସିରାଜଙ୍କୁ ୪ ଓ ବୁମରାଙ୍କୁ ୩ ଓ୍ବିକେଟ୍

 

ଭାରତ ଏସିଆ କପ ଜିତିବା ପରେ ଏବେ ଟେଷ୍ଟ ଖେଳୁଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଆଜିଠୁ ଆରମ୍ଭ ହୋଇଛି ଭାରତ- ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ । ଆଜି ପ୍ରଥମ ଦିନରେ ହିଁ ଓ୍ବେଷ୍ଟଇଣ୍ଡିଜ୍ ଭାରତୀୟ ବୋଲର ବୁମରା ଓ ସିରାଜଙ୍କ ସମ୍ମୁଖୀନ ହୋଇନପାରି ମାତ୍ର ୧୬୨ ରନରେ ଅଲଆଉଟ୍ ହୋଇଯାଇଛି ।

ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ୍ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭାରତୀୟ ବୋଲରମାନେ ଆରମ୍ଭରୁ ହିଁ ଇଣ୍ଡିଜ ବ୍ୟାଟ୍ସମ୍ୟାନମାନଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବାରେ ସଫଳ ହୋଇଥିଲେ । ଇଣ୍ଡିଜ ମାତ୍ର ୧୨ ରନରେ ନିଜର ପ୍ରଥମ ଓ ୨୦ ରନରେ ୨ୟ ଓ୍ବିକେଟ ହରାଇଥିଲା । ଟାଙ୍ଗେରିନ ଚନ୍ଦ୍ରପଲ ୦ ଓ ଜନ କ୍ୟାମ୍ପବେଲ୍ ୮ ରନ କରି ଆଉଟ ହୋଇଥିଲେ । ଏହା ପରେ ବି ଇଣ୍ଡିଜର ଓ୍ବିକେଟ ପତନ ଜାରି ରହିଥିଲା । ଦଳ ପକ୍ଷରୁ ଜଷ୍ଟିନ ଗ୍ରିଭସ୍ ୩୨ରନ ଓ ସାଇ ହୋପ୍ ୨୬ ରନ କରିଥିଲେ । ସେହିପରି ରୋଷ୍ଟନ ଚେଜ୍ ୨୪ ରନ ଓ ବ୍ରାଣ୍ଡନ କିଙ୍ଗ୍ ୧୩ ରନ କରିଥିଲେ ।

ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ଟି, ବୁମରା ୩ଟି ଓ କୁଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ଓ୍ବାସିଂଟନ ସୁନ୍ଦର ଗୋଟିଏ ଓ୍ବିକେଟ ନେଇଥିଲେ ।

Leave a comment