ପାକିସ୍ତାନ ହାରିଲା, ଜିତିଲା ଭାରତ , ଭାରତ ଆଗରେ ଥିଲା ୧୪୭ ରନର ଲକ୍ଷ୍ୟ
ଏସିଆ କପ ଫାଇନାଲରେ ଭାରତ ବିଜୟୀ ହୋଇଛି । ଭାରତ ଆଗରେ ୧୪୭ ରନର ଲକ୍ଷ୍ୟ ରଖିଥିଲା ପାକିସ୍ତାନ । ଶେଷ ଓଭରରେ ଭାରତକୁ ଏହି ବିଜୟୀ ସଟ୍ ରିଙ୍କୁ ସିଂ ପ୍ରଦାନ କରିଥିଲେ । ଶେଷ ପାଞ୍ଚ ଓଭରରେ ଜବରଦସ୍ତ ଖେଳିଥିଲେ ଭାରତୀୟ ଖେଳାଳୀ । ତେବେ ଭାରତ ମଧ୍ୟ ପ୍ରଥମରୁ ତିନୋଟି ଉଇକେଟ ଶୀଘ୍ର ହରାଇ ଚାପରେ ଥିଲା । କିନ୍ତୁ ତିଲକ ବର୍ମା, ସଂଜୁ ସାମସନ, ଶିବମ ଦୁବେ ଭଲ ଖେଳି ମ୍ୟାଚକୁ ଆଗକୁ ନେଇଥିଲେ ।
ଭାରତ ପୁଣି ଥରେ ପାକିସ୍ତାନକୁ ଧୂଳି ଚଟାଇଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠରେ ରବିବାର ଖେଳାଯାଉଥିବା ଏସିଆ କପ ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟ୍ରେ ପରାସ୍ତ କରି ଟାଇଟେଲ ହାତେଇଛି । ଭାରତ ଆଗରେ ବିଜୟ ପାଇଁ ୧୪୭ ରନର ଲକ୍ଷ୍ୟ ଥିବାବେଳେ ଭାରତ ୨ଟି ବଲ ବାକି ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ତିଳକ ବର୍ମା ୬୯ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ଭାରତ ମାତ୍ର ୨୦ ରନରେ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ତିଳକ ପ୍ରଥମେ ସଂଜୁ ସାମସନ ଓ ପରେ ଶିବମ ଦୁବେଙ୍କ ସହ ଏକ ଉପଯୋଗୀ ପାର୍ଟନରସିପ କରି ଦଳକୁ ଜିତାଇଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଥିବା ରିଙ୍କୁ ସିଂ ଚୌକା ମାରି ଦଳ ପାଇଁ ବିଜୟ ଆଣିଦେଇଥିଲେ ।
ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ମ୍ୟାଚରେ ଭାରତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ପଡ଼ିଆକୁ ଓହ୍ଲାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୯.୧ ଓଭରରେ ୧୪୬ ରନ କରି ଅଲଆଉଟ ହୋଇଯାଇଥିଲା । ପାକିସ୍ତାନର ଦୁଇ ଓପନର ଫକର ଜମାନ ଓ ସାହିବଜାଦା ଫରହାନ ଆରମ୍ଭରୁ ଭାରତୀୟ ବୋଲରଙ୍କ ଉପରେ ପ୍ରବଳ ଆକ୍ରମଣ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୮୪ ରନ ଯୋଡ଼ିଥିଲେ । ଫରହାନ ୫୭ ରନ କରିଥିବାବେଳେ ଜମାନ ୪୬ ରନ କରିଥିଲେ। କିନ୍ତୁ ଭାରତ ପାଇଁ ପ୍ରଥମ ସଫଳତା ଆଣିଥିଲେ ବରୁଣ ଚକ୍ରବର୍ତ୍ତି । ସେ ଫରହାନଙ୍କୁ ଆଉଟ କରିଥିଲେ । ଏହା ପରେ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲେ । ୩ୟ ସ୍ଥାନରେ ଆସିଥିଲେ ସଲିମ ଆୟୁବ । ସେ ୧୪ ରନ କରିଥିବାବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଂକ ଛୁଇଁ ପାରିନଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ ୪ଟି ଓ୍ବିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତି, ଅକ୍ଷର ପଟେଲ ଓ ଯଶପ୍ରୀତ ବୁମରା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।