ମଝି ଆକାଶରେ ମୁହାଁମୁହିଁ ହୋଇଥାନ୍ତେ ଦୁଇଟି ବିମାନ

ମଝି ଆକାଶରେ ମୁହାଁମୁହିଁ ହୋଇଥାନ୍ତେ ଦୁଇଟି ବିମାନ

ମେଟ୍ରୋ ଟିଭି ଓଡିଶା,୨୦/୧ : ବେଙ୍ଗାଲୁର ବିମାନ ବନ୍ଦରରୁ ଉଡାନ ଭରିଥିବା ୨ଟି ଇଣ୍ଡିଗୋ ବିମାନ ମଝି ଆକାଶରେ ମୁହାଁ ମୁହିଁ ହୋଇଥାନ୍ତେ । ରାଡାର ନିୟନ୍ତ୍ରକ ଆସୁଥିବା ବିପଦକୁ ଦେଖି ସଂଶୋଧନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ବିମାନ ଚଳାଚଳ ହୋଇଥିଲା । ଆଶ୍ଚର୍ଯ୍ୟର କଥା ଦୁଇଟି ବିମାନ ମଧ୍ୟରୁ ଗୋଟିଏ ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିଲା। ଆଉ ଗୋଟିଏ ବେଙ୍ଗାଲୁରୁରୁ କୋଲକାତା ଯାଉଥିଲା। ୩ ହଜାର ଫୁଟରେ ଏହି ଦୁଇ ବିମାନ ମଧ୍ୟରେ ମୁହାଁମୁହିଁ ହୋଇଥାନ୍ତା। ଫଳରେ ପ୍ରାଣ ହରାଇଥାନ୍ତେ ୪୦୦ରୁ ଅଧିକ ଯାତ୍ରୀ। ସାମାନ୍ୟ ତ୍ରୁଟି ଯୋଗୁ ଏକ ବଡ଼ ଧରଣର ଅଘଟଣ ଘଟିଥାନ୍ତା। ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏକ ଇଣ୍ଡିଗୋ ୬ଇ ୪୫୫ ବିମାନ କୋଲକାତା ଅଭିମୁଖେ ଯାଉଥିବାବେଳେ ଅନ୍ୟ ଏକ ଇଣ୍ଡିଗୋ ବିମାନ ୬୨ ୨୪୬ ବେଙ୍ଗାଲୁରୁରୁ ଭୁବନେଶ୍ବର ଯିବାର ଥିଲା ।


ସୂଚନା ଅନୁଯାୟୀ , ବେଙ୍ଗାଲୁରୁ ଏୟାରପୋର୍ଟରେ ନର୍ଥ ଓ ସାଉଥ ରନଓ୍ବେ ରହିଛି । ଏହି ବିମାନ ବନ୍ଦରରୁ ବିମାନଗୁଡ଼ିକ ନର୍ଥ ରନଓ୍ବେ ରୁ ଉଡ଼ାଣ କରୁଥିବାବେଳେ ସାଉଥ ରନଓ୍ବେରେ ଲ୍ୟାଣ୍ଡିଂ କରୁଥିଲେ। ତେବେ ଜାନୁୟାରୀ ୭ରେ ସାଉଥ ରନଓ୍ବେ ବନ୍ଦ କରି ଦିଆଯାଇଥିବାବେଳେ କେବଳ ନର୍ଥ ରନଓ୍ବେ କାର୍ଯ୍ୟକ୍ଷମ ଥିଲା । ମାତ୍ର ଏନେଇ ସାଉଥ ଟାଓ୍ବାର କଣ୍ଟ୍ରୋଲରଙ୍କୁ ସୂଚନା ଦିଆଯାଇ ନ ଥିଲା । ସାଉଥ ଟାଓ୍ବାର କଣ୍ଟ୍ରୋଲର ବିମାନଗୁଡ଼ିକୁ ଉଡାଣ ଲାଗି ଅନୁମତି ଦେଉଥିବାବେଳେ ନର୍ଥ ଟାଓ୍ବାର କଣ୍ଟ୍ରୋଲର ମଧ୍ୟ ଭୁବନେଶ୍ବର ଆସିବାକୁ ଥିବା ବିମାନକୁ ଅନୁମତି ଦେଇଥିଲେ। ଦୁଇ କଣ୍ଟ୍ରୋଲରଙ୍କ ମଧ୍ୟରେ ଏନେଇ ସୂଚନା ଆଦାନପ୍ରଦାନ କରାଯାଇ ନ ଥିଲା। ଗୋଟିଏ ଦିଗରେ ଦୁଇଟି ଯାକ ବିମାନକୁ ଅନୁମତି ଦେବାର ବିଧି ନ ଥିବାବେଳେ ଏକ ସମୟରେ ଏହି ଦୁଇଟି ବିମାନକୁ ଅନୁମତି ଦିଆଯାଇଥିଲା ।ଫଳରେ ଆକାଶ ମାର୍ଗରେ ଏକ ନିଶ୍ଚିତ ଦୁର୍ଘଟଣା ଘଟିବାର ଆଶଙ୍କା ଥିଲା। ମାତ୍ର ଏହା ଜାଣିପାରି ରାଡାର କଣ୍ଟ୍ରୋଲର ଲୋକେନ୍ଦ୍ର ସିଂହ ବିମାନର ଗତି ପରିବର୍ତ୍ତନ ଲାଗି ସୂଚନା ଦେଇଥିଲେ । ଫଳରେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି।