ଧର୍ମେନ୍ଦ୍ରଙ୍କ ପରେ ପାଣ୍ଡିଆନଙ୍କ ଗସ୍ତ
ଅନୁଗୁଳ ରାଜନୀତି ଉଠୁଛି ପଡ଼ୁଛି। ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ ଆସି ବିଜେପି ନେତା ଓ କର୍ମୀଙ୍କ ଉତ୍ସାହ ବଢ଼ାଇଥିଲେ। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଡ଼ ସଜାଇଥିଲେ। ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କର୍ମୀଙ୍କୁ ପରାମର୍ଶ ଦେଇ ସେ ଫେରିବାବେଳକୁ ବିଜେପି ଶିବିର ଚଳଚଞ୍ଚଳ ହୋଇପଡ଼ିଥିଲା। ଧର୍ମେନ୍ଦ୍ର ଯିବାର ଦୁଇ ଦିନ ପରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅନୁଗୁଳରେ ସିଧାସିଧା ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କଲେ। ଜନ୍ମମାଟି ପାଇଁ କଣ କରିଛ ବୋଲି ପ୍ରଶ୍ନ କରି ବିଜେପିକୁ ଅକଳରେ ପକାଇଲେ। ଏହା ବିଜେଡି ଶିବିରକୁ ଆନନ୍ଦିତ କରିଥିଲାବେଳେ ଦଳୀୟ ନେତା ଓ କର୍ମୀ ପାଣ୍ଡିଆନଙ୍କ ଗସ୍ତ ପରେ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। ଏବେ ଦୁଇ ଦଳର ନେତା ଓ କର୍ମୀ ବୁଥ୍ମୁହାଁ ହେବା ସହ ଜିଲ୍ଲାରେ ନିର୍ବାଚନୀ ହାୱା ବହିବା ଆରମ୍ଭ ହୋଇଛି। ପାଖାପାଖି ଦେଢ଼ ବର୍ଷ ହେଲା ଅନୁଗୁଳ ଓ ଢେଙ୍କାନାଳକୁ ଫୋକସ୍ରେ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିୟମିତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ସରକାରୀ କାର୍ଯ୍ୟକ୍ରମ ସହିତ ଦଳୀୟ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି।