ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ
ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି ଏବଂ ଉଭୟ ରାଜ୍ୟର ନିର୍ବାଚନ ଫଳାଫଳ ଆସନ୍ତା ୮ ତାରିଖ ଦିନ ଘୋଷଣା ହେବ। ଏହା ପୂର୍ବରୁ ଆଜି ବିଭିନ୍ନ ସଂସ୍ଥାର ଏକ୍ଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ଜାରି ହୋଇଛି। ୨୦୨୪ ଲୋକସଭା ନିର୍ବାଚନରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବା କଂଗ୍ରେସ ଏବେ ହରିୟାଣା ଓ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ମଧ୍ୟ ବାଜି ମାରିବ ବୋଲି ଏକଜିଟ୍ ପୋଲ୍ ଆକଳନରୁ ଜଣାପଡ଼ିଛି। ହରିୟାଣାରେ ବିଜେପିର ୧୦ ବର୍ଷର ଶାସନର ଅନ୍ତ ଘଟାଇ କଂଗ୍ରେସ ପରବର୍ତ୍ତୀ ସରକାର ଗଠନ କରିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ନ୍ୟାସନାଲ କନଫରେନ୍ସ(ଏନ୍ସି) ସହ ମେଣ୍ଟ କରି ଜମ୍ମୁ-କଶ୍ମୀରରେ ନିର୍ବାଚନ ଲଢ଼ିଥିବା କଂଗ୍ରେସ ପାଇଁ ସେଠାରେ ମଧ୍ୟ ଭଲ ଖବର ରହିଛି। ରାଜ୍ୟରେ ଝୁଲା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଏକ୍ଜିଟ୍ ପୋଲ୍ ଆକଳନରୁ ଜଣାପଡ଼ିଥିଲେ ମଧ୍ୟ ସରକାର ଗଠନ ପାଇଁ କଂଗ୍ରେସ ମେଣ୍ଟ ସୁବିଧାଜନକ ସ୍ଥିତିରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି।