ଆସନ୍ତା ୯ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ। ନବୀନ କାହାକୁ ସମର୍ଥନ କରିବେ ଘୋଷଣା କରିନାହାଁନ୍ତି । ନିର୍ବାଚନରେ ବିଜେଡି ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ନା ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କରିବ ସେନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁନି। ଦଳ ସଭାପତି କିଛି ନିଷ୍ପତ୍ତି ନେବା ପୂର୍ବରୁ ଆଜି ଦଳର ରାଜନୈତିକ ବ୍ୟାପାର କମିଟି ସହ ଆଲୋଚନା କରିଛନ୍ତି। କମିଟିର ସଦସ୍ୟମାନଙ୍କ ମତ ଶୁଣିବା ପରେ ନବୀନ କହିଛନ୍ତି ଯେ କାହାକୁ ସମର୍ଥନ କରିବା କି ନାହିଁ ଖୁବ୍ଶୀଘ୍ର ଜଣାଇଦେବି।
ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନ ଓ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ । ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ଅଙ୍କ କଷୁଛନ୍ତି ଦୁଇ ମହାମେଣ୍ଟ । ନିର୍ବାଚନକୁ ମାତ୍ର 3 ଦିନ ଥିବା ବେଳେ ସମର୍ଥନ ଲାଗି ବିଭିନ୍ନ ଦଳ ସହ ଆଲୋଚନା କରୁଛନ୍ତି ଉଭୟ ମେଣ୍ଟର ତୁଙ୍ଗ ନେତା । ଏହା ଭିତରେ ଚର୍ଚ୍ଚାରେ ରହିଛି ବିଜୁ ଜନତା ଦଳ- ବିଜେଡି । ନିର୍ବାଚନରେ କ’ଣ ରହିବ ନବୀନ ପଚ୍ଚନାୟକଙ୍କ ଆଭିମୁଖ୍ୟ ? କୁଆଡେ ରହିବ ନବୀନଙ୍କ ଗତି ? କାହା ଖାତାକୁ ଯିବ ବିଜେଡିର 7 ଭୋଟ ? ତାହା ଉପରେ ସମସ୍ତଙ୍କ ନଜର ।
କାର୍ଯ୍ୟକାଳ ଶେଷ ପୂର୍ବରୁ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଇସ୍ତଫା ଦେବା ପରେ ପୁଣିଥରେ ଉପରାଷ୍ଟ୍ରପତି ହେଉଛି । ଭାରତୀୟ ଜନତା ପାର୍ଟି(ବିଜେପି) ନେତୃତ୍ବାଧୀନ NDA ମେଣ୍ଟ ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛାଡ଼ି କରିଛି । ସେପଟେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ । ଉଭୟଙ୍କ ମଧ୍ୟରୁ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାହା ଆସନ୍ତା ୯ ତାରିଖରେ ସ୍ପଷ୍ଟ ହେବ । ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଅଣ୍ଟା ଭିଡିଛନ୍ତି ଉଭୟ NDA ଏବଂ INDIA ମେଣ୍ଟ । ସମର୍ଥନ ଲାଗି ଉଭୟ ମେଣ୍ଟ, ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ସହ ଯୋଗାଯୋଗ ଆରମ୍ଭ କରି ଦେଇଛନ୍ତି । ଏହାରି ଭିତରେ ବିଜେଡି ଉପରେ ସମସ୍ତଙ୍କ ନଜର ରହିଛି । ବିଭିନ୍ନ ନିର୍ଣ୍ଣାୟକ ପରିସ୍ଥିତିରେ ବିଜେଡି ଏନଡିଏ ଆଡ଼କୁ ଢଳି ରହୁଥିବା ନଜିର ରହିଛି । ତେବେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ସାରା ଦେଶର ନଜର ରହିଛି ।
ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ” ସେପ୍ଟେମ୍ବର ୯ ତାରିଖ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ, ସେ ନିଷ୍ପତ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ ହିଁ ନେବେ । ନବୀନ ଠିକ ସମୟରେ ଠିକ ନିଷ୍ପତ୍ତି ନେବେ । ନବୀନ ସବୁବେଳେ ଓଡିଶାର ସ୍ୱାର୍ଥ ପାଇଁ ଲଢେଇ କରି ଆସିଛନ୍ତି । ଓଡିଶାର ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ, ନବୀନ ପଟ୍ଟନାୟକ ସେହି ନିଷ୍ପତ୍ତି ନେବେ । ”
ବିଜେଡି ଏକ ଶୃଙ୍ଖଳିତ ଦଳ ବୋଲି କହିଛନ୍ତି ଦଳର ଅନ୍ୟତମ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି । ତାଙ୍କ କହିବା ହେଲା, ” ବିଜେଡି ସଂସଦୀୟ ଦଳ ବୈଠକ ବସିନାହିଁ । ବୈଠକରେ ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ, ସେହି ଅନୁସାରେ ଆମେ କାର୍ଯ୍ୟ କରିବୁ ।”
ଓଡ଼ିଶାରେ ବର୍ତ୍ତମାନ ବିରୋଧୀ ଦଳରେ ଥିବା ବିଜେଡି ପୂର୍ବରୁ ଜାତୀୟ ପ୍ରସଙ୍ଗଗୁଡ଼ିକରେ, ବିଜେପି ନେତୃତ୍ୱତ୍ବାଧୀନ ଏନଡିଏ ସହ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଛି । ପ୍ରତ୍ୟେକ ନୀତି ଓ ପ୍ରସଙ୍ଗରେ ଏନଡିଏକୁ ସମର୍ଥନ ଦେଇଛି । ତେବେ ଏଥର ଜାତୀୟ ଓ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ପଦକ୍ଷେପ ନେବ ବୋଲି ଦଳୀୟ ନେତା କହୁଛନ୍ତି । ଗତ ସଂସଦ ଅଧିବେଶନରେ ୱାକଫ ବିଲ ଆଭିମୁଖ୍ୟକୁ ନେଇ ବିବାଦୀୟ ହୋଇଥିବା ବିଜେଡି, ଉପରାଷ୍ଟ୍ରପତି ନିର୍ବାଚନରେ କି ନିଷ୍ପତ୍ତି ନେବ, ତା ଉ ପରେ ରାଜନୈତିକ ମହଲରେ ଅପେକ୍ଷା ରହିଛି ।
୨୦୧୭ ମସିହା ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ତା’ର ଭୋଟ ଦେଇଥିଲା । ଉପରାଷ୍ଟ୍ରପତି ନିର୍ବାଚନରେ NDA ଏମ. ଭେଙ୍କିଆ ନାଇଡୁଙ୍କୁ ପ୍ରାର୍ଥୀ କରିଥିଲା । ସେହିପରି ବିରୋଧୀ ମେଣ୍ଟ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଥିଲା । ନିର୍ବାଚନ ବେଳେ ବିରୋଧୀ ମେଣ୍ଟର ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଜଣାଇଥିଲେ ନବୀନ । ସେତେବେଳେ ବିଜେଡିର ଲୋକସଭାରେ ୨୦ ଏବଂ ରାଜ୍ୟସଭାରେ ୮ ଜଣ ସାଂସଦ ଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବନ୍ଧୁତା ଦୃଷ୍ଟିରୁ ସେ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ କରୁଛନ୍ତି ବୋଲି ଘୋଷଣା କରିଥିଲେ । ବିଜେଡି ସହିତ ନୀତିଶ କୁମାରଙ୍କ JDU ମଧ୍ୟ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେଇଥିଲା ।
ଏଥର ଠିକ ସେହି ପରିସ୍ଥିତିକୁ ବିଜେଡି ଆସିବ ବୋଲି ଦିଲ୍ଲୀ ରାଜନୈତିକ କରିଡରରେ ଚର୍ଚ୍ଚା ରହିଛି । ଏଥିପାଇଁ ବିପକ୍ଷ ପ୍ରାର୍ଥୀ ଜଷ୍ଟିସ ବି. ସୁଦର୍ଶନ ରେଡ୍ଡୀ ନବୀନଙ୍କ ସହିତ ସମ୍ପର୍କରେ ଅଛନ୍ତି । ବିଜେଡିର ଏବେ ଲୋକସଭାରେ କୌଣସି ସାଂସଦ ନଥିବାବେଳେ ରାଜ୍ୟସଭାରେ ୭ ଜଣ ସଦସ୍ୟ ଅଛନ୍ତି ।