କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ ପରେ ଜୋର ଧରିଛି କଂଗ୍ରେସ ରାଜନୀତି । ଗାଁରୁ ସହର ଏପରିକି ରାଜଧାନୀରେ ମଧ୍ୟ ଶରତ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି କଂଗ୍ରେସ ନେତା । ଖୋଲାଖୋଲି ଭାବେ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଅଙ୍ଗୁଳି ଉଠାଇଛନ୍ତି କଂଗ୍ରେସର ନେତା ଏବଂ କର୍ମୀ। ଦୁଇ ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ଉଠାଇବାକୁ ଦାବି କରିଛନ୍ତି କଂଗ୍ରେସ କାର୍ଯ୍ୟକର୍ତ୍ତା ।

ଏହା ଦଳରେ ଭୁଲ ପରମ୍ପରା ସୃଷ୍ଟି କରୁଛି । ଯେଉଁମାନେେ ଭଲ କାମ କରୁଛନ୍ତି ସେମାନଙ୍କୁ ଦଣ୍ଡ ଦେବା ଠିକ ନୁହେଁ ବୋଲି କଂଗ୍ରେସ କର୍ମୀ ଓ ନେତା କହୁଛନ୍ତି । ମୋକିମ ଓ ଚିରଞ୍ଜୀବଙ୍କ ସମର୍ଥକଙ୍କ ସହ ହଜାର ହଜାର କଂଗ୍ରେସ କର୍ମୀ ମଧ୍ୟ ଏହି ଦାବି କରୁଛନ୍ତି । କଂଗ୍ରେସ ନେତା କହୁଛନ୍ତି ଅନ୍ୟ ରାଜ୍ୟରେ କଂଗ୍ରେସ ବଢୁଥିବା ବେଳେ ଓଡିଶାରେ କଂଗ୍ରେସ ଖସି ଖସି ଚାଲିଛି | ଓଡିଶାରେ କଂଗ୍ରେସକୁ ମଜଭୂତ କରିବାରେ ଯେଉଁ ନେତାଙ୍କ ଅବଦାନ ରହିଛି ଦଳ ତାଙ୍କ ମାର୍ଗଦର୍ଶନରେ ଚାଲିବା କଥା କିନ୍ତୁ ଦଳର ନେତୃତ୍ବ ଓଲଟା କାମ କରୁଛନ୍ତି । ମୋକିମ ଏବେ ବିଧାୟକ ଅଛନ୍ତି । ଚିରଞ୍ଜୀବ ମଧ୍ୟ ଦୁଇ ଥର ନିର୍ବାଚନ ଜିତି ବିଧାନସଭାରେ ପ୍ରତିନିଧିତ୍ବ କରିଛନ୍ତି | ବିନା କାରଣରେ ପିସିସି ସଭାପତି ଶରତ ପଟ୍ଟନାୟକ ଦୁଇ ନେତାଙ୍କୁ ନିଲମ୍ବନ ପାଇଁ ଏଆଇସିସି କୁ ସୁପାରିଶ କରିଛନ୍ତି ଯାହା କଂଗ୍ରେସ ନେତାଙ୍କୁ ମର୍ମାହତ କରିଛି | କଂଗ୍ରେସର ଅନେକ କର୍ମୀ ଓ ସମର୍ଥକ ପିସିସି ସଭାପତିଙ୍କ ଇସ୍ତଫା ପାଇଁ ଦାବି ମଧ୍ୟ କରିଛନ୍ତି । ଯେଉଁ ବୈଠକ କଥା ଶରତ ପଟ୍ଟନାୟକ କହୁଛନ୍ତି ସେ ବୈଠକରେ ଅନେକ କଂଗ୍ରେସ ନେତା ଏବଂ କାର୍ଯ୍ୟକର୍ତ୍ତା ଥିଲେ । ସମସ୍ତେ ସେଦିନ ବୈଠକରେ ଉପସ୍ଥିତ ଥିଲେ | ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ ଆହ୍ୱାନ ଦିଆଯାଇଥିଲା | ତେଣୁ ଭୁଲ କେଉଁଠି ରହିଲା ବୋଲି କଂଗ୍ରେସ ନେତାମାନେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି । ପୁଣି ଆଜି ପିସିସି ସଭାପତି ଓ କଂଗ୍ରେସ ନେତ୍ରୀ ମୁହାଁମୁହିଁ ହୋଇଛନ୍ତି । ପିସିସି ସଭାପତିଙ୍କ ନାଁରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦଳର କଟକ ଜିଲ୍ଲା ପୂର୍ବତନ ସଭାନେତ୍ରୀ ଗିରିବାଳା ବେହେରା ସାଂଘାତିକ ଅଭିଯୋଗ ଆଣିଛନ୍ତି । ନିଜସ୍ବାର୍ଥ ପାଇଁ ବିଜେପି ଏଜେଣ୍ଡାରେ ରାଜ୍ୟ କଂଗ୍ରେସକୁ ପିସିସି ସଭାପତି ଚଳାଉଛନ୍ତି । ବିଜେପିର ବରିଷ୍ଠ ନେତାଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ ବୁଝାମଣା କରି ରାଜ୍ୟ କଂଗ୍ରେସକୁ ବୁଡ଼ାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଗିରିବାଳା । ପିସିସି ସଭାପତିଙ୍କ ବିଜେପି ପ୍ରୀତି ଯୋଗୁ କଂଗ୍ରେସରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିଜେପି ସହ କଂଗ୍ରେସ ମେଣ୍ଟ କରିନାହିଁ କହି ଖସିଯିବାକୁ ଉଦମ୍ୟ କରୁଥିବା ପିସିସି ସଭାପତିଙ୍କୁ ଦଳର ନେତାମାନେ ପ୍ରଶ୍ନବାଣରେ ଘାଇଲା କରିଛନ୍ତି।
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବିଜେପି ସହ କଂଗ୍ରେସର ସମ୍ପର୍କ ପ୍ରସଙ୍ଗକୁ ଏଡ଼ାଇଯାଇ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କ ନିଲମ୍ବନ ପରେ ଦଳୀୟ କନ୍ଦଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୩ ବର୍ଷ ଧରି ରାଜ୍ୟରେ କଂଗ୍ରେସ କ୍ଷମତା ବାହାରେ ରହିଛି । ଜାତୀୟସ୍ତରରେ ବିଜେପି ସହ ଲଢୁଥିବା କଂଗ୍ରେସ ଓଡ଼ିଶାରେ ପିସିସି ସଭାପତିଙ୍କ ସ୍ବାର୍ଥପାଇଁ ବିଜେପିକୁ ମିତ୍ର କରିଥିବା ଅଭିଯୋଗ ବଢୁଛି । ଯାହାକୁ ନେଇ କଂଗ୍ରେସ ସଂଗଠନରେ ମଧ୍ୟ ଫାଟ ବଢ଼ିବାରେ ଲାଗିଛି । ଏବେ ସଭାପତିଙ୍କ ଇସ୍ତଫା ଦାବି ଅଧିକ ହେବାରେ ଲାଗିଛି । ଦେଖାଯାଉ ଏହି ଫାଟକୁ ଯୋଡିବାରେ ଶରତ ପଟ୍ଟନାୟକ କେତେଦୂର ସମର୍ଥ ହେଉଛନ୍ତି ।