ରାହୁଲ ଗାନ୍ଧୀ କ୍ଷମା ପ୍ରାର୍ଥନା କରିବା ଦରକାର

ରାହୁଲ ଗାନ୍ଧୀ ଲଣ୍ଡନ ମାଟିରେ ଦେଶ ବିରୋଧରେ ଯାହା କହିଛନ୍ତି ସେଥିପାଇଁ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ଦରକାର । ବିଦେଶ ମାଟିରେ ଗଣତନ୍ତ୍ର, ଦେଶର ନ୍ୟାୟ ବ୍ୟବସ୍ଥାକୁ ଅସମ୍ମାନୀତ କରିବା ସହ ଦେଶର ଅସମ୍ମାନ କରିଛନ୍ତି ।ତେଣୁ ଦେଶର ଅପମାନ କରୁଥିବା ଏଭଳି ବ୍ୟକ୍ତିଙ୍କ ବିରୋଧରେ ଆମେ ଚୁପ୍ ରହିବୁନି ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ କିରଣ ରିଜିଜୁ ।ଗୁରୁବାର ବିଧାନସଭା ପରିସରରେ ଗଣମାଧ୍ୟମ ଆଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ କିରଣ ରିଜିଜୁ । କହିରଖୁଁ , ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ବିଜେପି କ୍ଷମା ମାଗିବାକୁ ଦାବି କରିଛି । ଏହି ପ୍ରସଙ୍ଗକୁ ନେଇ ସଂସଦରେ ମଧ୍ୟ ହଙ୍ଗାମା ଦେଖାଦେଇଛି ।
ନିକଟରେ ଲଣ୍ଡନ ଗସ୍ତରେ ଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଅବସରରେ ଲଣ୍ଡନ ହାଉସ୍ ଅଫ୍ ପାର୍ଲିଆମେଣ୍ଟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରିଟିଶ୍ ସାଂସଦଙ୍କୁ ସମ୍ବୋଧନ କରି ରାହୁଲ କହିଥିଲେ ଯେ, ଭାରତରେ ଗଣମାଧ୍ୟମ ବିପଦରେ ରହିଛି । ଲୋକସଭାରେ ବିରୋଧୀ ନେତାଙ୍କୁ କହିବାର ସୁଯୋଗ ଦିଆଯାଉନାହିଁ । କୌଣସି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ବିରୋଧୀଙ୍କୁ ଅନୁମତି ମିଳୁନି । କେବଳ ଏତିକି ନୁହେଁ ଆରଏସଏସ୍ ଉପରେ ମଧ୍ୟ ଅଭିଯୋଗ ଆଣିଥିଲେ । ଆରଏସଏସ୍ ଦେଶର ସବୁ ସଂସ୍ଥା ଉପରେ ନିଜର ଆଧିପତ୍ୟ ବିସ୍ତାର କରୁଛି । ଭାରତରେ ଗଣମାଧ୍ୟମ, ସଂସଦ, ନ୍ୟାୟପାଳିକା, ନିର୍ବାଚନ ଆୟୋଗ ସମସ୍ତେ ବିପଦରେ ବୋଲି କହିଥିଲେ ରାହୁଲ । ଏହାସହ ତାଙ୍କ ଉପରେ ସରକାର ଗୁଇନ୍ଦାଗିରି କରୁଛନ୍ତି ବୋଲି ମଧ୍ୟ କହିଥିଲେ ରାହୁଲ ।