ରାଜ୍ୟପାଳ ହରିବାବୁ କମ୍ଭମପତି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ନିକଟରେ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହୋଇ ନବୀନ ଘରକୁ ଫେରିଥିବାବେଳେ ଆଜି ନବୀନ ନିବାସରେ ପହଞ୍ଚିଭେଟିଛନ୍ତି ରାଜ୍ୟପାଳ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନବୀନଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଜୁନ୍ ୨୦ରେ ନବୀନ ପଟ୍ଟନାୟକ ସର୍ଭାଇକାଲ ଆର୍ଥ୍ରାଇଟିସ୍ ଅପରେଶନ ପାଇଁ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୨୨ରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା।
ସେଠାରେ ୨୧ ଦିନ ରହିବା ପରେ ସୁସ୍ଥ ହୋଇ ଜୁଲାଇ ୧୨ରେ ଭୁବନେଶ୍ୱର ଫେରିଥିଲେ। ଏହା ପରେ ନବୀନ ପୁଣି ଡିହାଇଡ୍ରେଶନ ଜନିତ ଅସୁସ୍ଥତା ଅନୁଭବ କରିଥିଲେ। ପ୍ରଥମେ ଏକ ଡାକ୍ତରୀ ଦଳ ନବୀନ ନିବାସରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ। ଅଧିକ ପରୀକ୍ଷାନିରୀକ୍ଷା କରିବା ଲାଗି ହସ୍ପିଟାଲ୍ ଆଣିବା ପାଇଁ ପରାମର୍ଶ ଦେବା ପରେ ସେ ସମ୍ ଅଲ୍ଟିମେଟ୍ ହସ୍ପିଟାଲ ଯାଇଥିଲେ। ସେଠାରୁ ସୁସ୍ଥ ହୋଇ ଫେରିବା ପରେ ନବୀନ ନିବାସରେ ରହୁଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ବିଭିନ୍ନ ନେତା ମନ୍ତ୍ରୀ ଯାଉଛନ୍ତି।